ଭାରତରେ କରୋନା ଦୃଶ୍ୟପଟ୍ଟ: ୩୬୦ ଆକ୍ରାନ୍ତ, ୭ ମୃତ୍ୟୁ; ଦେଶର ୮୦ଟି ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ରବିବାର ଗୁଜୁରାଟର ସୁରତ ହସ୍‌ପିଟାଲ୍‌ରେ କରୋନାରେ ସଂକ୍ରମିତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ କରୋନା ମୃତ୍ୟୁ ସଂଖ୍ୟାରେ ୭ରେ ପହଞ୍ଚି ଯାଇଛି। ଏଯାବତ ଏହି ମାରାତ୍ମକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୦ରେ ପହଞ୍ଚିଛି। ଏଥିରେ ୪୧ ଜଣ ବିଦେଶୀ ନାଗରିକ ଅଛନ୍ତି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇ ଦେଶର ୮୦ଟି ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରି ଦେଇଛନ୍ତି। ଏହି ୮୦ଟି ଜିଲ୍ଲାରେ କରୋନାଭାଇରସ୍‌ ସଂକ୍ରମଣ ନମୂନା ଚିହ୍ନଟ ହୋଇଥିଲା। ଏଥିସହିତ ଯେଉଁ ଜିଲ୍ଲାରେ କରୋନାଭାଇରସ୍‌ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଛି, ସେହି ଜିଲ୍ଲାଗୁଡ଼ିକୁ ଲକ୍‌-ଡାଉନ୍‌ ଘୋଷଣା କରି ଦିଆଯାଇଛି।

ପ୍ରଥମେ ରେଳସେବା ବନ୍ଦ ପରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯିବାକୁ ଥିବା ବସ୍‌ ସେବାକୁ ବନ୍ଦ କରିବାର ନିଷ୍ପତ୍ତି ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବ, କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଉପସ୍ଥିତ ଥିଲେ। ଲକ୍‌-ଡାଉନ୍‌ ସମୟରେ ଜରୁରୀ ସେବା ଚାଲୁ ରହିବ। ଏହି ସେବାଗୁଡ଼ିକ ମଧ୍ୟରେ ହସ୍‌ପିଟାଲ, ଔଷଧ ଦୋକାନ ଓ ଖାଦ୍ୟ ସାମଗ୍ରୀ ଦେକାନ ଚାଲୁ ରହିବ ବୋଲି ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧିତ ଖବର