ଟିକା ଟକ୍କର: ପରୀକ୍ଷଣରେ ଅଡୁଆ, ଟିକା ନେବା ଆଗରୁ ସ୍ବେଚ୍ଛାସେବୀଙ୍କ ଶରୀରରେ ଆଣ୍ଟିବଡି ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଦେଶର ପ୍ରଥମ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ର ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇଥିବା ବେଳେ ଏକ ବିଚିତ୍ର ସମସ୍ୟା ଦେଖିବାକୁ ମିଳିଛି। କିଛି ସ୍ବେଚ୍ଛାସେବୀଙ୍କ ଶରୀରରେ ଟିକା ନେବା ଆଗରୁ ହିଁ କରୋନାଭୂତାଣୁ ସାର୍ସ-କୋଭ୍-୨ ବିରୋଧୀ ଆଣ୍ଟିବଡି ବିକଶିତ ଥିବା ଜଣାଯାଇଛି। ଅବଶ୍ୟ ଏହା ସହର ପାଇଁ ସୁଖବର ନିଶ୍ଚିତ। କାରଣ ସଂଖ୍ୟାଧିକ ସହରବାସୀ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ ଦେଖାଇ ମଧ୍ୟ ସଂକ୍ରମିତ ହୋଇଥିବା ଏଥିରୁ ସୂଚନା ମିଳିଛି। ତେବେ ଏପରି ସ୍ବେଚ୍ଛାସେବୀଙ୍କ ଶରୀରରେ ଟିକା ପ୍ରୟୋଗରୁ ଆଶାନୁରୂପ ଫଳାଫଳ ମିଳିନପାରେ। ସେଠାରେ ସର୍ବାଧିକ ୧୦୦ ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯିବାକୁ ଥିବା ବେଳେ ଏଥିପାଇଁ ୩୫୦୦ ଜଣ ପଞ୍ଜୀକରଣ କରିଛନ୍ତି। ସେଥିରୁ ଅଧାରୁ ଅଳ୍ପ ଅଧିକ ଅନ୍ୟ ରାଜ୍ୟର ବୋଲି ଜଣାଯାଇଛି। ସ୍ଥାନୀୟ କିଛି ସ୍ବେଚ୍ଛାସେବୀଙ୍କ ନମୁନା ପରୀକ୍ଷଣରୁ ସେମାନଙ୍କ ଠାରେ କରୋନାଭୂତାଣୁ ବିରୋଧୀ ଆଣ୍ଟିବଡି ମିଳିଥିବାରୁ ଏ ପ୍ରକାର ନୈଦାନିକ ପରୀକ୍ଷଣ ପାଇଁ ସେମାନେ ପ୍ରଯୁଜ୍ୟ ନୁହନ୍ତି। ସୁତରାଂ ଏବେ ପ୍ରତ୍ୟେକଙ୍କର ଆଣ୍ଟିବଡି ପରୀକ୍ଷା କରାଯିବ ବୋଲି ଜଣାଯାଇଛି।

ନୈଦାନିକ ପରୀକ୍ଷଣ ପାଇଁ ବିଶେଷ କରି ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଥାଏ, କାରଣ ସେମାନଙ୍କ ଠାରେ କୌଣସି ପ୍ରକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ନିରୀକ୍ଷଣ କରିବା ସହଜ ହେବ। ମାତ୍ର ନିକଟରେ ଦିଲ୍ଲୀରେ କରାଯାଇଥିବା ଏକ ସିରୋଲୋଜିକାଲ୍‌ ନିରୀକ୍ଷଣରୁ ସାଢ଼େ ୨୩ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣାଯାଇଛି। ଏପରିକି ବାସ୍ତବ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ଆଇସିଏମ୍‌ଆର ବୈଜ୍ଞାନିକ ଡା. ଏନ୍‌ କେ ମେହରା କହିଛନ୍ତି। କୌଣସି ଟିକାର ବିଶେଷତ୍ବ ହେଲା ଏହା ରୋଗୀ ଶରୀରରେ ରୋଗସୃଷ୍ଟିକାରୀ ଭୂତାଣୁ ଉପସ୍ଥିତିର ପରିବେଶ ତିଆରି କରି ଶରୀରରେ ଉକ୍ତ ଭୂତାଣୁ ବିରୋଧୀ ଆଣ୍ଟିବଡି ସୃଷ୍ଟି ଲାଗି ଶରୀରର ରୋଗପ୍ରତିରୋଧ ଶକ୍ତିକୁ ପ୍ରୋତ୍ସାହିତ କରାଇବା। ସତେ ଯେପରି ସ୍ବେଚ୍ଛାସେବୀ ଜଣକ ଭୂତାଣୁ ଦ୍ବାରା ବାସ୍ତବରେ ସଂକ୍ରମିତ ହୋଇଛି, ତଦନୁସାରେ ଶରୀରରେ ଏହାର ପ୍ରତିରୋଧ ପାଇଁ ଆବଶ୍ୟକ ଆଣ୍ଟିବଡି ବିକଶିତ କରିଥାଏ, ଯେଉଁଥିପାଇଁ ଟିକା ହିଁ ଏପରି ଶକ୍ତିଶାଳୀ ଔଷଧର ମାନ୍ୟତା ରଖି ଆସିଛି।

ସମ୍ବନ୍ଧିତ ଖବର