ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା: ଆଗାମୀ ସପ୍ତାହରୁ ଉପଲବ୍ଧ ହେବ କରୋନା ଟିକା

ୱାଶିଂଟନ୍‌: ମହାମାରୀ କରୋନା ଭାଇରସ୍‌ର ଟିକା ଉପଲବ୍ଧତାକୁ ନେଇ ବହୁ କଳ୍ପନାଜଳ୍ପନା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଲୋକମାନଙ୍କୁ ଆଶ୍ବସ୍ତ କରାଇବା ପରି ଏକ ଘୋଷଣା କରିଛନ୍ତି। ସେ ଗୁରୁବାର ପ୍ରକାଶ କରିଛନ୍ତି ଯେ କରୋନା ଭାଇରସ୍‌ ଟିକା ଆସନ୍ତା ସପ୍ତାହଠାରୁ ପ୍ରଦାନ କରାଯିବ।

ଟ୍ରମ୍ପ୍‌ ଆହୁରି ବି କହିଛନ୍ତି ଯେ ପ୍ରଥମେ ଟିକା ଆଗଧାଡ଼ିର କର୍ମୀ, ସ୍ବାସ୍ଥ୍ୟ କର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରାଯିବ। ଶାରୀରିକ ସୁସ୍ଥତା ମାପକାଠି ଅନୁସାରେ ଟିକା ଯୋଗାଇ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ବ ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି ଏବଂ ଏଥିରୁ ନିସ୍ତାର ପାଇଁ ଏକ ଫଳପ୍ରଦ ଟିକା ଅପେକ୍ଷରେ ରହିଛି। କୋଭିଡ ଟିକା ପ୍ରସ୍ତୁତିରେ ବିଶ୍ବର ୫ଟି ସଂସ୍ଥା ଏବେ ଅଗ୍ରଣୀ ରହିଥିବା ବେଳେ ବହୁ ଚର୍ଚ୍ଚିତ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ଟିକା ପ୍ରସ୍ତୁତିରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିବା ପରେ କର୍ତ୍ତୃପକ୍ଷ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି ଏବଂ ଏହାକୁ ସୁଧାରିବା ଦିଗରେ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି। ଅକ୍ସଫୋର୍ଡ ଟିକାର ନୈଦାନିକ ପରୀକ୍ଷଣକୁ ନେଇ ମଧ୍ୟ କେତେକ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର