ପ୍ରଭାବିତ ରାଷ୍ଟ୍ରରୁ ଫେରିଥିବା ୩୩୫ ଜଣଙ୍କ ପତ୍ତା ମିଳୁନି

ନାଗପୁରରେ ୫ କରୋନା ସନ୍ଦିଗ୍ଧ ଆଇସୋଲେସନ୍‌ରୁ ଖସି ପଳାଇଥିଲେ

ନୂଆଦିଲ୍ଲୀ : କରୋନା ପ୍ରଭାବିତ ରାଷ୍ଟ୍ରରୁ ପଂଜାବକୁ ଫେରିଥିବା ପ୍ରାୟ ୩୩୫ ଜଣ ଲୋକଙ୍କ ପତ୍ତା ମିଳୁନି। ସେମାନଙ୍କୁ ଖୋଜିବା ପାଇଁ ପଂଜାବ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ପଂଜାବ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ଏକ ଗଣମାଧ୍ୟମ ବିବୃତି ଜାରି କରି କୁହାଯାଇଛି ଯେ ୬୬୯୨ ଲୋକ କରୋନା ପ୍ରଭାବିତ ରାଷ୍ଟ୍ରରୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୬୦୧୧ ଜଣଙ୍କୁ ମାର୍ଚ୍ଚ ୧୩ ସୁଦ୍ଧା ଚିହ୍ନଟ କରାଯାଇଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ଅନ୍ୟ ୩୫୩ ଜଣଙ୍କୁ ଚିହ୍ନଟ କରାଯାଇଛି, କିନ୍ତୁ ୩୩୫ ଜଣଙ୍କୁ ଏଯାବତ୍‌ ଚିହ୍ନଟ କରାଯାଇନି। ପଂଜାବରେ ଜଣେ ବ୍ୟକ୍ତି ଭାଇରସ୍ ଆକ୍ରାନ୍ତ ହୋଇଥିବା ବେ‌ଳେ ୭ ଜଣଙ୍କ ଶରୀରରେ ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ୨୨୧୪ ଜଣଙ୍କୁ ହସ୍ପିଟାଲ୍‌ ଏବଂ ହୋମ୍‌ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଅନ୍ୟପକ୍ଷେ ନାଗପୁରରେ ୫ ଜଣ କରୋନା ସନ୍ଦିଗ୍ଧ ମା‌ୟୋ ଜେନେରାଲ ହସ୍ପିଟାଲ୍‌ର ଆଇସୋଲେସନ୍‌ ୱାର୍ଡରୁ ଖସି ପଳାଇଥିଲେ। ପରେ ସେମାନଙ୍କୁ ପୁଲିସ ଖୋଜି ପାଇଛି। ଜିଲ୍ଲା ପ୍ରଶାସନ ଦ୍ବାରା ସେମାନଙ୍କୁ ପୁଣିଥରେ ହସ୍ପିଟାଲ୍‌ ଅଣାଯାଇଥିବା ଜଣାପଡ଼ିଛି। ଉକ୍ତ ୫ ଜଣଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ଭାଇରସ୍‌ ନଥିବା ବେଳେ ଅନ୍ୟ ୪ ଜଣଙ୍କ ଟେଷ୍ଟ୍‌ ରିପୋର୍ଟ ଏଯାବତ୍‌ ଆସିନି।

ସମ୍ବନ୍ଧିତ ଖବର