ବିଶ୍ବବ୍ୟାପୀ କରୋନା ବିଭୀଷିକା: ୧୧,୧୮୬ ମୃତ, ୟୁରୋପରେ ୫,୦୦୦ ଟପିଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୧୧,୦୦୦ ଟପିଛି। ଏବେ ୧୮୨ ରାଷ୍ଟ୍ରକୁ କରୋନା ବ୍ୟାପିଛି। ୨୭୫,୧୨୫ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ୟୁରୋପ୍‌ରେ କରୋନା ମୃତ୍ୟୁସଂଖ୍ୟା ୫,୦୦୦ ଟପିଛି। ୟୁରୋପୀୟ ରାଷ୍ଟ୍ର ଇଟାଲି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଇଟାଲିରେ ମୃତ୍ୟୁସଂଖ୍ୟା ୩୪୦୫ରେ ପହଞ୍ଚିଛି। ଇରାନ୍‌ରେ ମଧ୍ୟ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଇରାନ୍‌ରେ ପୁଣି ୧୪୯ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ପ୍ରତି ୧୦ ମିନିଟ୍‌ରେ ଜଣେ ପ୍ରାଣ ହରାଉଛନ୍ତି ଏବଂ ୫୦ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହେଉଛନ୍ତି। ଇରାନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୮୪ରେ ପହଞ୍ଚିଛି ଏବଂ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୭୦୦ ଟପିଛି। ଚୀନ୍‌, ଇଟାଲୀ ଏବଂ ଇରାନ୍‌ ପରେ ସ୍ପେନ୍‌ରେ ବି କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି। ସ୍ପେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୦୭୭ରେ ପହଞ୍ଚିଛି। ବ୍ରିଟେନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୪ରେ ପହଞ୍ଚିଛି। କାଲିଫର୍ଣ୍ଣିଆରେ ୨୦ ନିୟୁତ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ତେଣୁ କାଲିଫର୍ଣ୍ଣିଆରେ ସମସ୍ତ ନାଗରିକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀଲଙ୍କାରେ ଦେଶବ୍ୟାପୀ କର୍ଫ୍ୟୁ ଜାରି ହୋଇଛି। ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। କ‌ରୋନା ପାଇଁ ସ୍ପେନ୍‌ ସମସ୍ତ ହୋଟେଲ୍‌ ବନ୍ଦ ଘୋଷଣା କରିଛି।

ଆମେରିକାରେ ୧୦,୦୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଆଗାମୀ ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀକୁ ଆମେରିକା ବନ୍ଦ କରିଦେଇଛି। ଆମେରିକାରେ ମାତ୍ର ୨୪ ଘଣ୍ଟାରେ ୪,୫୦୦ ନୂଆ ମାମଲା ସ୍ପଷ୍ଟ ହୋଇଛି। ନ୍ୟୁଜର୍ସିରେ ଗୋଟିଏ ପରିବାରେ ୪ ସଦସ୍ୟଙ୍କର କରୋନାରେ ମୃତ୍ୟୁ ହୋଇଛି। ଜଣେ ମା’ ଏବଂ ତାଙ୍କର ୩ ପିଲା କରୋନାରେ ପ୍ରାଣ ହରାଇଛନ୍ତି। ୨୪ ଘଣ୍ଟାରେ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩,୦୦୦ ବଢ଼ିଛି। ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା‌ ୩୭୨ ପହଞ୍ଚିଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୦୦ ଟପିଛି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତା ୨ ସପ୍ତାହ ପାଇଁ ଏମେର୍ଜନ୍ସି ଘୋଷଣା କରିଛି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୬ରେ ପହଞ୍ଚିଛି ଏବଂ ଏଠାରେ କରୋନା ଯୋଗୁଁ ତୃତୀୟ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର