କରୋନା ଆତଙ୍କ: ଜାପାନ ଜାହାଜରେ ୧୩୫ ଆକ୍ରାନ୍ତ, ଫସିଛନ୍ତି ୧୬୦ ଭାରତୀୟ

ଉଦ୍ଧାର ପାଇଁ ମୋଦୀଙ୍କୁ କଲେ ଅନୁରୋଧ, ମୋଦୀଙ୍କ ଚିଠିକୁ ଚୀନ୍‌ର ପ୍ରଶଂସା

ନୂଆଦିଲ୍ଲୀ : ଜାପାନର ଏକ ବିଶାଳ ଜାହାଜରେ ଫସିଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ସମୁଦାୟ ୧୩୫ ଜଣଙ୍କ ଶରୀରରେ କରୋନା ଭାଇରସ୍‌ ରହିଛି। ଏହି ଜାହାଜରେ ୧୬୦ ଜଣ ଭାରତୀୟ ଅଛନ୍ତି। ସମସ୍ତ ଭାରତୀୟଙ୍କୁ ଜାହାଜରୁ ଉଦ୍ଧାର ପାଇଁ ଆଜି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଉତ୍ତର ବଙ୍ଗଳାର ଜଣେ ସେଫ୍‌ ବିନୟ କୁମାର ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଭିଡିଓ ମାଧ୍ୟମରେ ସେ କହିଛନ୍ତି ଜାହାଜରେ ସମସ୍ତେ ଭୟ‌ରେ ଅଛନ୍ତି । ବିନୟ ତାଙ୍କର ୫ ଜଣ ସହକର୍ମୀଙ୍କ ସହ ଏକ ‌ଫଟୋ ପୋଷ୍ଟ୍‌ କରି କହିଛନ୍ତି, ସେମାନଙ୍କ ମଧ୍ୟରୁ କାହାର ବି ସ୍ବାସ୍ଥ୍ୟ ଯାଞ୍ଚ କରାଯାଇନି। ତେଣୁ ଖୁବ୍‌ ଶୀଘ୍ର‌ ସେମାନଙ୍କୁ ଉଦ୍ଧାର କରାଯାଉ। ସମସ୍ତଙ୍କୁ ଜାହାଜରୁ ମୁକ୍ତ କରି ଘରକୁ ଫେରାଇ ଆଣିବାପାଇଁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷେ କରୋନା ମୁକାବିଲା ଦିଗରେ ଚୀନ୍‌କୁ ସହାୟତାର ହାତ ବଢ଼ାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଯେଉଁ ଚିଠି ଦେଇଥିଲେ ତାକୁ ଚୀନ୍‌ ପ୍ରଶଂସା କରିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ କହିଛନ୍ତି, କରୋନାର ମୁକାବିଲା ଦିଗରେ ଭାରତର ସମର୍ଥନକୁ ଆମେ ପ୍ରଶଂସା‌ କରୁଛୁ ଏବଂ ଏଥିପାଇଁ ଧନ୍ୟବାଦ ଦେଉଛୁ। ଅନ୍ୟପକ୍ଷେ ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇବାରୁ ବ୍ରିଟେନ୍‌ କରୋନା ଭାଇରସ୍‌ ନେଇ ଆସନ୍ନ ବିପଦ ଘୋଷଣା କରିଛି। କରୋନା ଏବେ ପ୍ରାୟ ୩୦ ରାଷ୍ଟ୍ରକୁ ବ୍ୟାପିଥିବାବେଳେ ଫିଲିପାଇନ୍ସ ଏବଂ ହଂକଂରେ ୨ ଜଣଙ୍କର ଏହି ମାରାତ୍ମକ ରୋଗରେ ମୃତ୍ୟୁ ହୋଇଛି।

ସୁସ୍ଥ ହେଉଛନ୍ତି ଭାରତର ପ୍ରଥମ ରୋଗୀ
ତ୍ରିବେନ୍ଦ୍ରମ୍‌: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଭାରତୀୟ ଛାତ୍ରୀଙ୍କ ସ୍ବା‌ସ୍ଥ୍ୟାବସ୍ଥା ସ୍ଥିର ଅଛି। କେରଳର ଥ୍ରିସୁର ଜିଲ୍ଲାର ଏହି ଛାତ୍ରୀଙ୍କ ସଦ୍ୟତମ ନମୁନା ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଛି ଯେ, ତାଙ୍କ ଶରୀରରେ ଆଉ ଭା‌ଇରସ୍‌ ନାହିଁ। ତେବେ ଏହା ଶେଷ ନମୁନା ରିପୋର୍ଟ ନୁହେଁ। ଆଉ ଏକ ନମୁନା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଛାତ୍ରୀ ଜଣଙ୍କ ସମ୍ପୂର୍ଣ୍ଣ ଭାବେ ଭାଇରସ୍‌ ମୁକ୍ତ ଅଛନ୍ତି କି ନା’ ତାହା ଆଉ ଏକ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ। ଥ୍ରିସୁର ମେଡିକାଲ କଲେଜ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଏହି ଛାତ୍ରୀ ଜଣଙ୍କ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ କେରଳରେ ସମୁଦାୟ ୩ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଗତ ଜାନୁଆରି ୩୦ରେ ପ୍ରଥମେ ଜଣେ ମେଡିକାଲ ଛାତ୍ରୀଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଥିଲା। ଏହାପରେ ଅନ୍ୟ ୨ ଜଣଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଥିଲା। କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା କହିଛନ୍ତି, ୩ ଜଣ ଯୋଗୀ ହସ୍ପିଟାଲ୍‌ରୁ ମୁକ୍ତ ହେବା ପରେ ହିଁ ସେମାନେ ସମ୍ପୂର୍ଣ୍ଣ ଭାଇରସ୍‌ ମୁକ୍ତ ହୋଇଛନ୍ତି ବୋଲି ଘୋଷଣା କରିପାରିବ।

ସମ୍ବନ୍ଧିତ ଖବର