କରୋନା ଆତଙ୍କ: ଜେଲ୍‌ରେ ବ୍ୟାପିଲା ଭାଇରସ୍‌, ମୃତ୍ୟୁସଂଖ୍ୟା‌ ୨୨୩୯କୁ ବୃଦ୍ଧି,

ବେଜିଂରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

ବେଜିଂ : କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ଏବେ ମୃତ୍ୟୁସଂଖ୍ୟା ୨,୨୩୯ରେ ପହଞ୍ଚିଛି। ୭୬,୦୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଚୀନ୍‌ରୁ ପୁଣି ୮୮୯ଟି ନୂଆ ମାମଲା ସ୍ପଷ୍ଟ କରାଯାଇଛି। ଏହା ପୂର୍ବଦିନର ସଂଖ୍ୟା ଅପେକ୍ଷା ଯଥେଷ୍ଟ ଅଧିକ ରହିଛି। ଉହାନ୍‌ ପରେ ଏବେ ଚୀନ୍‌ ରାଜଧାନୀ ବେିଜଂରେ ବି ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବେଜିଂରେ ସମୁଦାୟ ୩୯୬ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୪ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବେଜିଂରେ କ‌େତେକ କଟକଣା ଲାଗୁ ହୋଇଛି। ସପିଂ ମଲ୍‌ ଗୁଡ଼ିକ ଆଂଶିକ ଭାବେ ବନ୍ଦ କରାଯାଉଛି। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କ ଶରୀରର ତାପମାତ୍ରା ମପାଯାଉଛି ଏବଂ ବେଜିଂରେ ବି କିଛି ସ୍ଥାନରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି। ଚୀନ୍‌ରେ ଜେଲ୍‌ମାନଙ୍କରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମିଳିଥିବା ସୂଚନାନୁଯାୟୀ ହୁୱେଇ ପ୍ରଦେଶରେ ପ୍ରାୟ ୫୦୦ରୁ ଅଧିକ ଜଣ କଏଦୀ ଏବଂ ପୁଲିସ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ହୁୱେଇରେ ଗୋଟିଏ ଦିନରେ ୬୩୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଇରାନ୍‌ରେ ପୁଣି ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩ଟି ନୂଆ ମାମଲା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର