ନୂଆଦିଲ୍ଲୀ: ପୂରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ପ୍ରକୋପ ଭାରତରେ ଲଗାତାର ବଢ଼ିଚାଲିଛି। ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତ ସମ୍ମିଳନୀରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଶହ ଅତିକ୍ରମ କରିଯାଇଛି। ବିପଜ୍ଜନକ କୋଭିଡ-୧୯ ମହାମାରୀ ଯୋଗୁଁ ଏ ପର୍ଯ୍ୟନ୍ତ ଦେଶରେ ୫୬ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୫୬ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧ରେ ପହଞ୍ଚିଛି ଏବଂ ସେଥିରୁ ୨୦୮୮ଟି ମାମଲା ସକ୍ରିୟ ଅଛି। ମହାରାଷ୍ଟ୍ରରେ ୩୯୩ଟି ମାମଲା ଆସିଛି ଏବଂ ଆକ୍ରାନ୍ତ ତାଲିକାରେ ଏହା ଶୀର୍ଷରେ ରହିଛି। ଅନ୍ୟପକ୍ଷରେ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏବେ ୩୩୫ଟି ମାମଲା ରହିଛି ଏବଂ ରାଜ୍ୟରେ ସର୍ବାଧିକ କରୋନା ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ୧୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ନିଜାମୁଦ୍ଦିନ ମସ୍ଜିଦ୍ ମାମଲା ପରେ ଦିଲ୍ଲୀରେ ଜଟିଳ ସ୍ଥିତି ଉପୁଜିଛି। ଦିଲ୍ଲୀରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୧ରେ ପହଞ୍ଚିଛି। ଏଠାରେ ଏବେ ବି ଜମାତୀଙ୍କୁ ଠାବ କରିବା ପାଇଁ ଶତାଧିକ ସ୍ଥାନରେ ଚଢ଼ଉ ଚାଲିଛି। ଦିଲ୍ଲୀରେ କୋଭିଡ ୧୯ ମହାମାରୀ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ଜମାତୀଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ଅଚାନକ ବଢ଼ିଯାଇଛି। ଏ ପର୍ଯ୍ୟନ୍ତ ୧୩୪ ମାମଲା ସାମ୍ନାକୁ ଆସିଛି ଏବଂ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଣ୍ଡାମାନ ନିକୋବରରେ ଏ ପର୍ଯ୍ୟନ୍ତ ୧୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ବିହାରରେ ୨୫ଟି ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡିଗଡ଼ରେ ୧୧ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଗୋଆରେ ୬ଟି ମାମଲା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜରାଟରେ ଏ ପର୍ଯ୍ୟନ୍ତ ୧୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଏଠାରେ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ହରିୟାଣାରେ ୬୪ଟି ମାମଲା ସାମ୍ନାକୁ ଆସିଛି। ହିମାଚଳ ପ୍ରଦେଶରେ ୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଜମ୍ମୁ କାଶ୍ମୀରରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି। କର୍ଣ୍ଣାଟକରେ ଭାଇରସ୍ ଯୋଗୁଁ ୧୩୭ ସଂକ୍ରମିତ ହୋଇଛନ୍ତି ଏବଂ ଏଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଲଦାଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ବେଳେ ପୁଡୁଚେରୀରେ ୪ଟି ମାମଲା ସାମ୍ନାକୁ ଆସିଛି। ପଂଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫୧ରେ ପହଞ୍ଚିଛି ଏବଂ ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ୧୩୬ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଠାରେ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡ଼ୁରେ ଜମାତୀଙ୍କ ପାଇଁ ଆତଙ୍କ ଖେଳିଯାଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬ରେ ପହଞ୍ଚିଛି। ଜମାତରୁ ଫେରିଥିବା ଶତାଧିକ ବ୍ୟକ୍ତି ଏବେ ବି ପ୍ରଶାସନ ପାଖରେ ଅପହଂଚ ରହିଥିବାରୁ ସେମାନଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି। ତେଲେଙ୍ଗାନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ମାତ୍ର ଜଣେ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଉତ୍ତର ପ୍ରଦେଶରେ ୧୨୯ ମାମଲା ଆସିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/2Corona_Doctor.jpg)