ନୂଆ ସତର୍କତା ଜାରି
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କ୍ୟାବିନେଟ ସଚିବ କରୋନା ଭୂତାଣୁ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏକ ନୂଆ ଯାତ୍ରା ସତର୍କତା ଜାରି କରାଯାଇଛି। ଗତକାଲି ଜାରି କରାଯାଇଥିବା ସତର୍କ ସୂଚନାକୁ ପୁଣିଥରେ ସଂଶୋଧନ କରାଯାଇଛି। ସଂଶୋଧିତ ନିର୍ଦ୍ଦେଶାବଳୀରେ ଯାତ୍ରୀମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ସତର୍କ କରି ଦିଆଯାଇଛି। ଯେଉଁମାନେ ୧୫ ଜାନୁଆରି ପରେ ଚୀନ ଯାତ୍ରା କରିଛନ୍ତି କିମ୍ବା ଚୀନରୁ ଫେରିଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ପୃଥକ ଭାବେ ରଖାଯାଇପାରେ। ଚୀନ ପାସପୋର୍ଟଧାରୀଙ୍କ ପାଇଁ ଇ–ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି। ଚୀନ ନାଗରିକଙ୍କୁ ପୂର୍ବରୁ ଜାରି କରାଯାଇଥିବା ଇ–ଭିସା ଅସ୍ଥାୟୀ ଭାବେ କାମ ଦେବ ନାହିଁ। ଚୀନରୁ ଫିଜିକାଲ ଭିସା ପାଇଁ ଅନଲାଇନ ଆବେଦନ ଦାଖଲ ସୁବିଧା ସ୍ଥଗିତ ରଖାଯାଇଛି। ଭାରତ ଗସ୍ତ କରିବା ଜରୁରୀ ହୋଇଥିଲେ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏବଂ ସାଙ୍ଘାଇ ଓ ଗୁଆଙ୍ଗଝୋଉସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଯୋଗାଯୋଗ କରିବା ଲାଗି କୁହାଯାଇଛି।
ନୂଆଦିଲ୍ଲୀ : କରୋନା ଭାଇରସ୍ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି। ବିଶ୍ବବ୍ୟାପୀ ଭୟ ଖେଳାଇ ଦେଇଥିବା ଏହି ଭାଇରସ୍ ଯୋଗୁଁ ଚୀନ୍ରେ ୩୬୨ ଜଣଙ୍କ ମୃତ୍ୟୁ ହେଲାଣି। କେବଳ ସୋମବାର ଦିନ ଉହାନ୍ରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ଚୀନ୍ରେ ୧୭,୨୦୫ ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ ୧,୫୨,୭୦୦ ଜଣଙ୍କୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖା ଯାଇଛି। ବିଶ୍ବର ୨୫ଟି ଦେଶକୁ ଏହି ଭୟଙ୍କର ରୋଗ ବ୍ୟାପିସାରିଲାଣି। କେରଳରେ ପୁଣି ଜଣେ କରୋନା ଭାଇରସ୍ ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ କେରଳରେ ୩ ଜଣ ଭାଇରସ୍ ଆକ୍ରାନ୍ତ ହୋଇ ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କେରଳର କସରଗଡ଼ରେ ଜଣେ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛନ୍ତି। ଶୈଲଜା କହିଛନ୍ତି, ଫେବ୍ରୁଆରି ୨ ସୁଦ୍ଧା ୧୦୪ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥିମଧ୍ୟରୁ ୩ଟି ପଜିଟିଭ୍ ଆସିଛି। କେରଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୯୨୪ ଜଣଙ୍କୁ ସେମାନଙ୍ଗ ଘରେ ଅବଜରବେସନ୍ରେ ରଖାଯାଇଛି ଏବଂ ୭୫ ଜଣଙ୍କୁ ବିଭିନ୍ନ ହସ୍ପିଟାଲ୍ର ସ୍ବତନ୍ତ୍ର ୱାର୍ଡରେ ରଖାଯାଇଛି। ୩ଜଣ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ କେରଳ ସରକାର ଏହି ରୋଗକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି।
କେନ୍ଦ୍ର ଗଠନ କଲା ସ୍ବତନ୍ତ୍ର ଟାସ୍କ ଫୋର୍ସ
ସ୍ଥିତି ସମୀକ୍ଷା କଲେ ପ୍ରମୁଖ ସଚିବ ପିକେ ମିଶ୍ରକେରଳ ସ୍ଥିତି ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ସ୍ବାସ୍ଥ୍ୟ, ଗୃହ, ବେସାମରିକ ବିମାନ ଚଳାଚଳ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ପ୍ରତିନିଧିମାନଙ୍କୁ ନେଇ ଏହି ଟାସ୍କ ଫୋର୍ସ ଗଠନ ହୋଇଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡି କହିଛନ୍ତି। ଉକ୍ତ ଟାସ୍କ ଫୋର୍ସର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଦେଶରେ କରୋନାଭାଇରସ୍ ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ଚୀନ୍ରୁ ଫେରିଥିବା ୬୦୦ରୁ ଅଧିକ ଭାରତୀୟଙ୍କ ପାଇଁ କିଭଳି ବ୍ୟବସ୍ଥା ହୋଇଛି ସେନେଇ ସ୍ଥିତି ପରଖିଛନ୍ତି।
ଚୀନ୍ରେ ଫସିଛନ୍ତି ଆନ୍ଧ୍ର ମହିଳା
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କର୍ନୁଲ୍ ଜିଲ୍ଲାର ଜଣେ ୨୨ ବର୍ଷୀୟା ମହିଳା ଚୀନ୍ର ଉହାନ୍ରେ ଫସି ଯାଇଛନ୍ତି। ଭାରତର ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ୬୫୦ ଜଣଙ୍କୁ ଦୁଇଟି ପର୍ଯ୍ୟାୟରେ ଚୀନ୍ରୁ ଅଣାଯାଇଛି। କିନ୍ତୁ ପ୍ରାୟ ୧୦ ଜଣଙ୍କୁ ଭାରତ ଫେରିବାପାଇଁ ଅନୁମତି ମିଳିନଥିଲା। ସେମାନଙ୍କ ଶରୀରର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ଥିବାରୁ ଅନୁମତି ମିଳି ନଥିଲା। ଏହି ୧୦ ଭାରତୀୟଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଜଣେ ମହିଳା ଆନ୍ନେମ ଜ୍ୟୋତି ଅଛନ୍ତି। ୨୨ ବର୍ଷୀୟା ଆନ୍ନେମ ଆଜି ଏକ ଭିଡିଓ ଜାରି କରି ତାଙ୍କୁ ଉଦ୍ଧାର କରିବାପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭିଡିଓ ମେସେଜ୍ରେ ଆନ୍ନେମ୍ କହିଛନ୍ତି, ସେ ଅନ୍ୟ ଭାରତୀୟଙ୍କ ସହ ଭାରତ ଫେରିବାର ଥିଲା। କିନ୍ତୁ ତାଙ୍କ ଶରୀରର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାରୁ ତାଙ୍କୁ ଫେରିବା ଅନୁମତି ମିଳିଲାନି। କିନ୍ତୁ କରୋନାର କିଛି ଲକ୍ଷଣ ତାଙ୍କ ପାଖରେ ନଥିବା ସେ କହିଛନ୍ତି।