କରୋନା ଭାଇରସ୍‌ : ଚୀନରୁ ଭାରତୀୟଙ୍କୁ ଆଣିବାକୁ ପ୍ରସ୍ତୁତି

ମୃତ୍ୟୁ ସଂଖ୍ୟା ୧୦୦ ଟପିଲା, ୯୭୬ ଗୁରୁତର, ଚିକିତ୍ସା‌ ପାଇଁ ହୁୱେଇରେ ପହଞ୍ଚିଲେ ୪,୧୩୦ ଡାକ୍ତର

ନୂଆଦିଲ୍ଲୀ: ଚୀନ୍‌ର ହୁୱେଇ ପ୍ରଦେଶରୁ ଭାରତୀୟଙ୍କୁ ନିରାପଦରେ ଦେଶକୁ ଆଣିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଚୀନ୍‌ କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରସଙ୍ଗରେ ଯୋଗାଯୋଗ କରାଯିବା ସହ ଏକ ସ୍ବତନ୍ତ୍ର ବିମାନ ଭାରତ ଉହାନ ପଠାଇବ ବୋଲି ଜଣାପଡ଼ିଛି। ଭାରତୀୟଙ୍କୁ ସେଠାରୁ ସୁରକ୍ଷିତ ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ତେବେ ଭାରତରେ ସେମାନେ ପହଞ୍ଚିବାପରେ ସେମାନଙ୍କୁ ବାଧ୍ୟତାମୁଳକ ଭାବେ ୧୪ ଦିନ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯିବ। ଉହାନ୍‌ରେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଛାତ୍ର ଅଧ୍ୟୟନରତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଇରସ୍‌ ବ୍ୟାପିବା‌ ପୂର୍ବରୁ ଭାରତ ଆସିଥିବା ବେଳେ ଏବେ ପ୍ରାୟ ୨୫୦ରୁ ୩୦୦ ଭାରତୀୟ ସେଠାରେ ଅଛନ୍ତି। ଭାରତୀୟମାନେ ନିଜର ପାସପୋର୍ଟ ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ଦାଖଲ କରିବାପାଇଁ କୁହାଯାଇଛି।

ମୃତ୍ୟୁ ସଂଖ୍ୟା ୧୦୦ ଟପିଲା
ବେଜିଂ: ଚୀନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଲାଣି। ଗତକାଲି ସୁଦ୍ଧା କରୋନା ଭାଇରସ୍‌ ଯୋଗୁଁ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ମୃତ୍ୟୁସଂଖ୍ୟା ୧୦୬ରେ ପହଞ୍ଚିଛି। ପ୍ରାୟ ୫,୦୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ଥିବା ବେଳେ ୯୭୬ ଜଣ ଅତ୍ୟନ୍ତ ଗୁରୁତର ଅଛନ୍ତି। ସମଗ୍ର ଚୀନ୍‌ରୁ ପ୍ରାୟ ୪,୧୩୦ ଡାକ୍ତର ଏବଂ ନର୍ସ‌୍ ରୋଗୀମାନଙ୍କର ଚିକିତ୍ସା ପାଇଁ ହୁୱେଇ ପ୍ରଦେଶରେ ପହଞ୍ଚିଛନ୍ତି। ଡାକ୍ତର ଏବଂ ନର୍ସଙ୍କ ସମେତ ପ୍ରାୟ ୬,୦୦୦ ମେଡିକାଲ କର୍ମଚାରୀ ହୁୱେଇ ପହଞ୍ଚିଥିବା ଜଣାପଡ଼ିଛି।

ଚୀନ୍‌ରୁ ବିଦେଶୀ ନାଗରିକଙ୍କୁ ଖାଲି କରିବା ଅନାବଶ୍ୟକ: ଡବ୍ଲ୍ୟୁଏଚ୍‌ଓ
ବେଜିଂ: କରୋନା ଭାଇରସ୍‌ ଭୟରେ ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ର ଏବେ ଚୀନ୍‌ରୁ ନିଜର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଏହି ମାମଲାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି ଯେ ଚୀନ୍‌ରୁ ବିଦେଶୀ ନାଗରିକଙ୍କୁ ଖାଲି କରିବା ଅନାବଶ୍ୟକ। ଚୀନ୍‌ ଭାଇରସ୍‌ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଡବ୍ଲ୍ୟୁଏଚ୍‌ଓ ମଧ୍ୟ ଦୃଢ଼ ବିଶ୍ବାସ ରଖିଛି ଯେ, ଚୀନ୍‌ ଉକ୍ତ ଭାଇରସ୍‌କୁ ସଠିକ୍‌ ଭାବେ ମୁକାବିଲା କରିପାରିବ। ତେଣୁ ଚୀନ୍‌ରୁ ଅନ୍ୟ ରାଷ୍ଟ୍ରମାନେ ନିଜର ନାଗରିକଙ୍କୁ ଖାଲି କରିବାପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ଅନାବଶ୍ୟକ। ଏହାଦ୍ବାରା ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର