କରୋନା ଭାଇରସ୍‌: ସରକାର ଜାରି କଲେ ନୂଆ ଯାତ୍ରା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌କୁ ରୋକିବାପାଇଁ ସରକାର ଆଜି ପୁଣି ନାଗରିକମାନଙ୍କ ନିମନ୍ତେ ସଦ୍ୟ ଯାତ୍ରା କଟକଣା ଜାରି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରି ନାଗରିକମାନଙ୍କୁ ଚୀନ୍‌, ଇରାନ୍‌, ରିପବ୍ଲିକ୍‌ ଅଫ୍‌ କୋରିଆ, ଇଟାଲି ଏବଂ ଜାପାନ୍‌ ଯାତ୍ରା ନକରିବାପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଅନ୍ୟ କରୋନା ପ୍ରଭାବିତ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଅନାବଶ୍ୟକ ଯାତ୍ରା ନ କରିବାପାଇଁ ସରକାର କହିଛନ୍ତି। ଭିସା କଟକଣା‌ କ୍ଷେତ୍ରରେ ମଧ୍ୟ ସରକାର ପୂର୍ବ କଥାକୁ ଦୋହରାଇ କହିଛନ୍ତି, ଇଟାଲି, ଇରାନ୍‌, ଦକ୍ଷିଣ କୋରିଆ, ଜାପାନ ନାଗରିକମାନଙ୍କୁ ମାର୍ଚ୍ଚ ୩ ସୁଦ୍ଧା ଜାରି ହୋଇଥିବା ଭିସା/ ଇ-ଭିସା‌ ସହ ଜାପାନ୍‌ ଏବଂ ଦକ୍ଷିଣ କୋରିଆ ପାଇଁ ଜାରି ହୋଇଥିବା ଭିସା ଅନ୍‌ ଆରାଇଭାଲ୍‌କୁ ବାତିଲ କରାଯାଇଛି। ଯେଉଁମାନେ ଜରୁରୀ ପରିସ୍ଥିତିରେ ଭାରତ ଗସ୍ତ କରିବାକୁ ଚାହୁଥିବେ ସେମାନେ ନିକଟସ୍ଥ ଭାରତୀୟ ଦୂତାବାସରୁ ସଦ୍ୟ ଭିସା ପାଇଁ ଆବେଦନ କରିପାରିବେ। ସେହିପରି ଫେବ୍ରୁଆରି ୫ ପୂର୍ବରୁ ଚୀନ୍‌ ନାଗରିକଙ୍କୁ ଜାରି ହୋଇଥିବା ସମସ୍ତ ଭିସା ବାତିଲ ହୋଇଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ। ସରକାର କହିଛନ୍ତି ଭିସା କଟକଣା ସତ୍ତ୍ବେ ଯଦି କୌଣସି ବି‌ଦେଶ ଯାତ୍ରୀ ନିକଟରେ ଇଟାଲୀ ଏବଂ କୋରିଆ ଯାଇ ଭାରତ ଆସିବାକୁ ଚାହାନ୍ତି ତେବେ ନିକଟସ୍ଥ ଦୂତାବାସ‌ରେ ସଦ୍ୟ ଭିସା ଆବେଦନ କରିବାକୁ ପଡ଼ିବ। ତେବେ ତାଙ୍କ ଶରୀରରେ ଭାଇରସ୍‌ ନେଗେଟିଭ୍‌ ଥିବା ନେଇ ତାଙ୍କୁ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର