କରୋନା ଭାଇରସ୍‌: ବିଶ୍ବବ୍ୟାପୀ ୮୦,୦୦୦ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୨୭୦୦ ଟପିଲା

ଦକ୍ଷିଣ କୋରିଆ, ଇରାନ୍‌ରେ ସ୍ଥିତି ଜଟିଳ, ଇରାନ୍‌ ଉପ ସ୍ବାସ୍ଥ୍ୟମନ୍ତ୍ରୀ ଭାଇରସ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ୮୦,୦୦୦ରୁ ଅଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ୩୦ରୁ ଅଧିକ ଦେଶରେ ଏବେ ଭାଇରସ୍‌ ପହଞ୍ଚି ସାରିଥିବାବେଳେ ଚୀନ୍‌ ବାହାରେ ଦକ୍ଷିଣ କୋରିଆ, ଇରାନ୍‌ ଓ ଇଟାଲିରେ ଭାଇରସ୍ ସର୍ବାଧିକ ଆତଙ୍କ ଖେଳାଇଛି। କରୋନା ଭାଇରସ୍‌ ଯୋଗୁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨୭୦୦ ଟପିଛି। ଚୀନ୍‌ ବାଦ୍‌ ଦକ୍ଷିଣ କୋରିଆରେ ୯୭୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପୁଣି ୯୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇଟାଲିରେ ମଧ୍ୟ ଭାଇରସ୍‌ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି ଏବଂ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଇରାକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଇରାକ୍‌ ଏବେ ୭ ରାଷ୍ଟ୍ରର ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଇଛି। ଇରାନ୍‌ର ଉପସ୍ବାସ୍ଥ୍ୟମନ୍ତ୍ରୀ ଇରାଜ୍‌ ହରିର୍‌ଚି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୀନ୍‌ର ସ୍ବାସ୍ଥ୍ୟ କମିସନ ପକ୍ଷରୁ କୁହାଯାଇଛି ଯେ ଗତ ସୋମବାର ରାତି ସୁଦ୍ଧା ଚୀନ୍‌ରେ ପୁଣି ୫୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ପୁଣି ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଏନ୍‌ଏଚ୍‌ସି ପକ୍ଷରୁ କୁହାଯାଇଛି ଯେ ସୋମବାର ମଧ୍ୟରାତ୍ରି ସୁଦ୍ଧା କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା‌ ୨୭,୩୨୩ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଛି।

ସମ୍ବନ୍ଧିତ ଖବର