ବିହାର ମହିଳାଙ୍କୁ ‘କରୋନା’! ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମୀକ୍ଷା ବୈଠକ

ଭାରତରେ ୧୦୦ ଜଣ ଅବଜରଭେସନ୍‌ରେ ଅଛନ୍ତି, ନେପାଳ ସୀମାରେ କଡ଼ା ସତର୍କତା ଅବଲମ୍ବନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଭାରତରେ ବି ଭୟ ସୃଷ୍ଟି କରିଛି। ଭାରତରେ ୧୦୦ରୁ ଅଧିକ ବ୍ୟକ୍ତି ଏହି ଭାଇରସ୍‌ ପାଇଁ ଅବଜଭେସନ୍‌ରେ ଅଛନ୍ତି। କିଛି ଲୋକ କେରଳରେ ଅବଜଭେସନ୍‌ରେ ଥିବାବେଳେ ଆଉ କିଛି ଲୋକ ମୁମ୍ବାଇରେ ଅବଜଭେସନ୍‌ରେ ଅଛନ୍ତି। ଭାରତରେ କରୋନା ଭାଇରସ୍‌କୁ ମୁକାବିଲା କରିବା‌ନେଇ କି ପଦକ୍ଷେପ ଗ୍ରହଣ ହୋଇଛି ତଥା ଭାରତ କିଭଳି ପ୍ରସ୍ତୁତ ରହିଛି ସେ ସଂକ୍ରାନ୍ତରେ ଅବଗତ ହେବାପାଇଁ ଗତକାଲି ପିଏମ୍‌ଓ ପକ୍ଷରୁ ଏକ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନି‌ର୍ଦ୍ଦେଶରେ ଏହି ବୈଠକ ହୋଇଥିବାବେଳେ ଏଥିରେ କ୍ୟାବିନେଟ୍‌ ସଚିବ, ଗୃହ ସଚିବ, ବିଦେଶ ସଚିବ, ପ୍ରତିରକ୍ଷା ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବେସାମରିକ ବିମାନ ଚଳାଚଳ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସେପଟେ ବିହାରର ଛାପ୍ରାରେ ଜଣେ ମହିଳାଙ୍କଠାରେ କରୋନା ଭାଇରସ୍‌ ଲକ୍ଷଣ ଦେଖା ଦେବାପରେ ତାଙ୍କୁ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ (ପିଏମ୍‌ସିଏଚ୍‌)ରେ ଭର୍ତ୍ତି କରାଯାଇଛି। ନିକଟରେ ଚୀନ୍‌ରୁ ଫେରିଥିବା ଏହି ମହିଳାଙ୍କ ନାମ ଏକ୍‌ତା। ସେ ଏବେ ପିଏମ୍‌ସିଏଚ୍‌ରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ ଜଣେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଆଶଙ୍କା କରାଯାଇଛି। ତାଙ୍କୁ ମଧ୍ୟ ହସ୍ପିଟାଲ୍‌ରେ ଅବଜରବେସନ୍‌ରେ ରଖାଯାଇଛି। ଏଭଳି ସ୍ଥିତିରେ ନେପାଳରେ କରୋନାଭାଇରସ୍‌ ଚିହ୍ନଟ ହୋଇଥିବାରୁ ଭାରତ ନେପାଳ ସୀମା ସଂଲଗ୍ନ ଅଞ୍ଚଳରେ କଡ଼ା ସତର୍କତା ଅବଲମ୍ବନ କରାଯାଇଛି। ନେପାଳ ସୀମା ସଂଲଗ୍ନ ପଶ୍ଚିମବଙ୍ଗର ପାଣିଟାଙ୍କି, ଉତ୍ତରାଖଣ୍ଡର ଝୁଲାଘାଟ ଏବଂ ପିଥୋରଗଡ଼ର ଜୌଲଜିବିରେ ସ୍ବାସ୍ଥ୍ୟ ଟିମ୍‌ ମୁତୟନ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ନେପାଳ ସୀମା ସଂଲଗ୍ନ ୫ଟି ରାଜ୍ୟ ତଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମର ପୁଲିସ ମୁଖ୍ୟ ଏବଂ ମୁଖ୍ୟ ସଚିବମାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛନ୍ତି।

ଚୀନ୍‌ରେ କୌଣସି ଭାରତୀୟ ଆକ୍ରାନ୍ତ ହୋଇନାହାନ୍ତି: ଏମ୍‌ଇଏ
ବେଜିଂ: ଚୀନ୍‌ରେ ଥିବା ଭାରତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଦ୍ବନ୍ଦ୍ବ ବଢ଼ିଥିବାବେଳେ କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗତକାଲିଠାରୁ ସ୍ପଷ୍ଟ କରି କୁହାଯାଇଛି ଯେ ଚୀନ୍‌ରେ କୌଣସି ଜଣେ ହେଲେ ଭାରତୀୟ କରୋନା ଭାଇରସ୍‌ରେ ଆକ୍ରାନ୍ତ ନାହାନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଙ୍କ ସହ ଯୋଗାଯୋଗ ରଖାଯାଇଛି। ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସ୍ଥିତି ଅତ୍ୟନ୍ତ ଭଲଭାବେ ନିରୀକ୍ଷଣ କରୁଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଗତକାଲି ଟ୍ବିଟ୍‌ କରି କହିଥିଲେ। ଚୀନ୍‌ କର୍ତ୍ତୃପକ୍ଷଙ୍କ ସହ ଏନେଇ କଥାବାର୍ତ୍ତା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ କୌଣସି ଜଣେ ହେଲେ ଭାରତୀୟ କରୋନା ଭାଇରସ୍‌ ଆକ୍ରାନ୍ତ ନଥିବା ସେ କହିଛନ୍ତି। ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପାଖରେ ମଧ୍ୟ ୩ଟି ହେଲ୍ପଲାଇନ୍‌ ଆରମ୍ଭ ହୋଇଛି। କଷ୍ଟଦାୟକ ସ୍ଥିତିରେ ଥିବା ଭାରତୀୟମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

ରୁଷ୍‌ରେ ଶତାଧିକ ଲୋକ ଆକ୍ରାନ୍ତ ଆଶଙ୍କା
ମସ୍କୋ: କରୋନା ଭାଇରସ୍‌ ଚୀନ ପରେ ଏବେ ରୁଷ୍‌ରେ ଅଧିକ ଆତଙ୍କ ସୃଷ୍ଟି କରିଛି। ରୁଷ୍‌ରେ ଶତାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ଆଶଙ୍କା କରାଯାଉଛି। କିନ୍ତୁ ସରକାରଙ୍କ ପକ୍ଷରୁ ଆକ୍ରାନ୍ତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନି। ଶତାଧିକ ଲୋକଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା‌ କରାଯାଉଛି। ତେବେ ଚିକିତ୍ସାଧୀନ ଥିବା ଅଧିକାଂଶ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି। ସେମାନେ ସମସ୍ତେ ନିକଟରେ ଚୀନ୍‌ରୁ ଫେରିଛନ୍ତି।

ସମ୍ବନ୍ଧିତ ଖବର