ନୂଆଦିଲ୍ଲୀ: ଚୀନରେ କୋଭିଡ-୧୯ ନିୟମକୁ କୋହଳ କରାଯିବା ପରେ ସେଠାରେ ସଂକ୍ରମଣ ସ୍ଥିତି ବିଗିଡ଼ି ଯାଇଛି। ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂଖ୍ୟା ଏପରି ମାତ୍ରାରେ ବଢ଼ିଛି ଯେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି।
ଚୀନ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କୋରିଆ ଓ ବ୍ରାଜିଲରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଭାରତ ସରକାର ସତର୍କ ହୋଇଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶରେ ବି ଯୋଗୀ ସରକାର ଅଲର୍ଟ ଜାରି କରିଛନ୍ତି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସମସ୍ତ ସିଏମଓଙ୍କୁ ବିମାନବନ୍ଦରରେ ସତର୍କତା ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ବିଦେଶ ଯାତ୍ରା କରି ଫେରୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବାକୁ କହିଛନ୍ତି। ଏମାନଙ୍କ ମଧ୍ୟରୁ ଯଦି କେହି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତ କରିବାର ବ୍ୟବସ୍ଥା କରାଯିବାର ବି ନିର୍ଦେଶ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ବିଦେଶ ଯାତ୍ରା କରି ଫେରୁଥିବା ଲୋକଙ୍କ ପାଇଁ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ୧୨ରୁ ୧୪ଦିନ ପର୍ଯ୍ୟନ୍ତ ଉକ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝାଯିବ। କୌଣସି ପ୍ରକାର ସ୍ବାସ୍ଥ୍ୟରେ ଅସୁବିଧା ପରିଲକ୍ଷିତ ହେଲେ ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ବି କୁହାଯାଇଛି।
ତେବେ ଚୀନରେ ବିସ୍ଫୋରଣ ହୋଇଥିବା ଏହି କରୋନ ଭାରତ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। କାରଣ ପୂର୍ବରୁ ଚୀନ ପରେ ବିଶ୍ବର ଅନ୍ୟ ଦେଶର ଲୋକେ କରୋନା ଭାଇରସ ଦ୍ବାରା ସଂକ୍ରମଣ ହୋଇଥିଲେ।