କରୋନା ଭାଇରସ୍‌ ପାଇଁ ଫିକା ପଡ଼ିଯିବ ହୋଲି ପର୍ବ

ନୂଆଦିଲ୍ଲୀ: ଭୟାବହ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବିଶ୍ବବ୍ୟାପୀ ଲୋକମାନେ ଏକାଠି ହେବା ଉପରେ ବିଭିନ୍ନ ସଂଗଠନ ବାରଣ କରି ଆସୁଛନ୍ତି। ଆଗକୁ ଭାରତରେ ହୋଲି ପର୍ବ ଅଛି। ଏହି ଦିନ ଲୋକମାନେ ମିଳିମିଶି ହୋଲି ଖେଳନ୍ତି। ଏଭଳି ହୋଲି ମିଳନ ଯୋଗୁଁ କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା ଥିବାରୁ ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୋଲି ଖେଳିବେ ନାହିଁ ବୋଲି ଗତ କାଲିଠାରୁ ସ୍ପଷ୍ଟ କରିସାରିଛନ୍ତି। ଏ ନେଇ ସେ ଏକାଧିକ ଟ୍ବିଟ୍ କରିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଚଳିତବର୍ଷ ରାଷ୍ଟ୍ରପତି ‌ଭବନରେ ହୋଲି ଉତ୍ସବ ପାଳନ ହେବ ନାହିଁ ବୋଲି ଟ୍ବିଟ୍ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବାରୁ ଏଥର ହୋଲି ପାଳନ ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ଚଳିତବର୍ଷ ୧୦ ତାରିଖରେ ହୋଲି ଉତ୍ସବ ପଡ଼ୁଛି। ହୋଲି ଉତ୍ସବକୁ ଧୁମଧାମ୍‌ରେ ପାଳନ କରିବା ପାଇଁ ଲୋକେ ଦୀର୍ଘଦିନରୁ ଅପେକ୍ଷା କରି ରହିଥିଲେ। କିନ୍ତୁ କରୋନା ରୋଗ ଏହି ଉତ୍ସବକୁ ଫିକା କରିଦେଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଆଦି ହୋଲି ପାଳନ କରିବେ ନାହିଁ ବୋଲି ଘୋଷଣା କରିବା ପରେ ଏହାର ପ୍ରଭାବ ଲୋକଙ୍କ ଉପରେ ବହୁମାତ୍ରାରେ ପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଗଲାଣି। ଫଳରେ ଚଳିତବର୍ଷର ହୋଲି ପର୍ବ ଫିକା ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହୋଲି ପାଳନ କରିବେ ନାହିଁ ବୋଲି ଘୋଷଣା କରିବା ପରେ ଏହାର ପ୍ରଭାବ କେବଳ ଅନ୍ୟ ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀଙ୍କ ଉପରେ ପଡ଼ିବ ନାହିଁ ‌ଲୋକଙ୍କ ଉପରେ ମଧ୍ୟ ପଡ଼ିବାର ସମସ୍ତ ସମ୍ଭାବନା ରହିଛି। ଗାଁ ଗହଳରେ ରହୁଥିବା ଲୋକମାନେ ଚୀନରୁ ଆସୁଥିବା ସାମଗ୍ରୀ ବ୍ୟବହାର କରିବାକୁ ଡରିବା ଆରମ୍ଭ କରିଦେଇଥିବା ବେଳେ ସେଠାରୁ ଆସୁଥିବା ରଙ୍ଗକୁ ମଧ୍ୟ ପରିତ୍ୟାଗ କରିବାର ସମସ୍ତ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର