ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି, ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ପାଳନ ପାଇଁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ : ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଅନ୍‌ଲକ୍‌-୧ ଅବଧିରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ଅନଲକ୍‌-୧ରେ କରୋନା ସମ୍ପର୍କିତ ସୁରକ୍ଷାତ୍ମକ ପଦକ୍ଷେପଗୁଡ଼ିକୁ ଠିକ୍‌ ରୂପେ ପାଳନ କରାଯାଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରୁ ସଂଗ୍ରହ କରିଥିବା ତଥ୍ୟରୁ ଜଣାପଡ଼ିଛି। ଏହି କାରଣରୁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର କିଛି ନିର୍ଦ୍ଦେଶନାମାଗୁଡ଼ିକ କଟକଣା ଆଧାରରେ ଜାରି କରିବା ପାଇଁ ଯୋଜନା କରୁଛନ୍ତି। ଦେଶରେ ଅର୍ଥ ବ୍ୟବସ୍ଥାକୁ ‌ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା କଟକଣାଗୁଡ଼ିକୁ କୋହଳ କରାଯାଇଥିଲା। କେନ୍ଦ୍ର ଦ୍ବାରା ନିୟମରେ କୋହଳ କରାଯିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଅନେକ ରାଜ୍ୟ ନିୟମଗୁଡ଼ିକୁ ଶକ୍ତ ଭାବେ ପାଳନ କରୁଥିବା ବେଳେ ଅନ୍ୟ କେତେକ ରାଜ୍ୟମାନଙ୍କର କହିବା ହେଉଛି ଯଦି କେନ୍ଦ୍ର ପକ୍ଷରୁ କଡ଼ା ନିର୍ଦ୍ଦେଶ ଆସିବ ତାହେଲେ ସେଗୁଡ଼ିକ ପାଳନ କରିବାରେ କୌଣସି ଅସୁବିଧା ହେବ ନାହିଁ। ଏହି କାରଣରୁ କରୋନା ସଂକ୍ରମଣକୁ ରୋକିବା ଦିଗରେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ନୂଆ ନିର୍ଦ୍ଦେଶନାମା ଜାରି ସମ୍ଭାବନା ରହିଥିବା ବେଳେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଦେଶର ଅତ୍ୟନ୍ତ କରୋନା ପ୍ରଭାବିତ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡ଼ୁ, ରାଜସ୍ଥାନ, ହରିଆଣା, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟର ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିଛନ୍ତି। ଓଡ଼ିଶାର ସ୍ଥିତି ଅପେକ୍ଷାକୃତ ଭଲ ଥିବା ଯୋଗୁଁ କେନ୍ଦ୍ରର ଏହି ବୈଠକରେ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟମାନଙ୍କୁ ବାଦ ଦିଆଯାଇଥିଲା। ଅପରପକ୍ଷେ ରାଜ୍ୟମାନଙ୍କୁ ଆଗାମୀ ଦିନ ପାଇଁ ଜିଲ୍ଲାସ୍ତରୀୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଦ୍ବାରା ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର