କରୋନା ଭାଇରସ ମୃତ୍ୟୁସଂଖ୍ୟା ୧୬ଶହ ଛୁଇଁଲା

ବେଜିଂ : ଚୀନରେ ଅସମ୍ଭାଳ ହୋଇଗଲାଣି କରୋନା ଭାଇରସ ସ୍ଥିତି । ଶନିବାର ସୁଦ୍ଧା ଚୀନରେ ମୃତ୍ୟୁସଂଖ୍ୟା ୧୬ଶହ ନିକଟବର୍ତ୍ତି ହୋଇଛି । ଏହାସହିତ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୬ ହଜାରରେ ପହଞ୍ଚିଛି । ଶୁକ୍ରବାର ଦିନ ଚୀନରେ ଆଉ ୧୪୩ ଜଣ ମୃତ୍ୟୁବରଣ କରିଥିବାବେଳେ ୨୬୪୧ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । କେବଳ ଚୀନ ନୁହେଁ ଧୀରେ ଧୀରେ ଚୀନ ବାହାରେ ମଧ୍ୟ ମୃତ୍ୟୁ ଖବର ପହଞ୍ଚିବାରେ ଲାଗିଛି । ଆଜି ପ୍ୟାରିସରେ ଥିବା ଚୀନର ଜଣେ ବ୍ୟକ୍ତି ଏହି ରୋଗରେ ପଡ଼ି ମୃତ୍ୟୁବରଣ କରିଛି । ତେବେ ଚୀନର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୮୦୯୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଚୀନର ଜାତୀୟ ଡାକ୍ତରୀ କମିଶନ କହିଛି ।
ଅନ୍ୟପକ୍ଷରେ ଭାରତରେ ଏହି ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଏବେ ପ୍ରାୟ ୨୬ ଟି ଦେଶକୁ ଏହା ବ୍ୟାପିସାରିଲାଣି ବୋଲି ଜଣାଯାଇଛି । ଉହାନରେ ଥିବା ଏକ ପଶୁମାଂସ ବଜାରରେ ଏହି ଭୁତାଣୁ ମନୁଷ୍ୟ ଶରୀରକୁ ଆସିଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର