କରୋନା ଭାଇରସ ମୃତ୍ୟୁସଂଖ୍ୟା ୨୮ଶହ ଟପିଲା, ୮୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ : କରୋନା ଭାଇରସ (କୋଭିଡ୍‌-୧୯) ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦଭାବେ ଦେଖାଦେଲାଣି । ଗୁରୁବାରସୁଦ୍ଧା ସମଗ୍ର ବିଶ୍ୱରେ ଏହି ଭାଇରସ ଦ୍ୱାରା ମୋଟ ୮୨ ହଜାର ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୮ଶହ ଟପିଯାଇଛି । କେବଳ ଚୀନରେ ୨୭୪୪ ଜଣ ମୃତ୍ୟୁବରଣ କରିଛନ୍ତି ଓ ୭୮୪୯୭ ଜଣ ସଂକ୍ରମିତ ହୋଇଛନ୍ତି । ହଂକଂରେ ୮୧ ଜଣ ସଂକ୍ରମିତ ହୋଇଛନ୍ତି ଓ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଚୀନର ଅଧିକାଂଶ ମୃତ୍ୟୁ କେନ୍ଦ୍ରୀୟ ପ୍ରଦେଶ ହୁବେଇରେ ହୋଇଛି । ହୁବେଇର ରାଜଧାନୀ ଉହାନ ଏହି ରୋଗର କେନ୍ଦ୍ରସ୍ଥଳୀ ହୋଇଛି । ଉହାନ ସହରର ଏକ ମାଂସ ବଜାରରୁ ଏହି ଭାଇରସ ବ୍ୟାପିଥିବା ସଂଦେହ କରାଯାଉଛି । ଏହି ବଜାରରେ ହିଁ ବିଭିନ୍ନ ପ୍ରକାରର ଜୀବଜନ୍ତୁଙ୍କ ଖାଦ୍ୟ ମିଳିଥାଏ ।
ଅନ୍ୟପକ୍ଷରେ ଦକ୍ଷିଣ କୋରିଆରେ ଏହା ଧୀରେ ଧୀରେ ନିଜର କାୟା ବିସ୍ତାର କରିଚାଲିଛି । ଦେଶରେ ଏପର୍ଯ୍ୟନ୍ତ ୧୩ ଜଣ ମୃତ୍ୟୁବରଣ କରିଥିବାବେଳେ ୧୭୬୬ ଜଣସଂକ୍ରମିତ ହୋଇଛନ୍ତି । ଜାପାନରେ ୮୯୫ ଜଣ ସଂକ୍ରମିତ ହୋଇଥିବାବେଳେ ୮ ଜଣ ମୃତ୍ୟୁବରଣ କରିଛନ୍ତି । ଇଟାଲୀରେ ୪୪୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ।

ଅନ୍ୟପକ୍ଷରେ କରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ସାଉଦି ଆରବ ସରକାର ନିଜ ଦେଶକୁ ତୀର୍ଥଯାତ୍ରୀଙ୍କ ଆଗମନକୁ ନିଷିଦ୍ଧ କରିଛନ୍ତି ।

ସମ୍ବନ୍ଧିତ ଖବର