ନୂଆଦିଲ୍ଲୀ: ଦେଶରେ ଲକ୍ଡାଉନ୍ କଟକଣା ଏବଂ ସାମାଜିକ ଦୂରତ୍ବ ସତ୍ତ୍ବେ କରୋନା ଭାଇରସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୫୯ରେ ପହଞ୍ଚିଛି। ଏଥିରୁ ୧୦୮୨୪ଟି ସକ୍ରିୟ ମାମଲା ଥିବା ବେଳେ ୪୨୦ ଲୋକ ଏହି ବୈଶ୍ବିକ ମହାମାରୀରେ ପ୍ରାଣ ହରାଇଛନ୍ତି। ତେବେ ୧୫୧୪ ଜଣ ଆକ୍ରାନ୍ତ ସଂକ୍ରମଣମୁକ୍ତ ହୋଇ ହସ୍ପିଟାଲରୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଥିଲା, ସେଥିରେ ଏବେ ଲଗାମ ଲାଗିଛି। କେରଳରେ ବିଗତ ୨୪ ଘଣ୍ଟାରେ ମାତ୍ର ଗୋଟିଏ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୮ରେ ପହଞ୍ଚିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୮ ରହିଥିବା ବେଳେ ତାମିଲନାଡ଼ୁରେ ୧୨୪୨ରେ ରହିଛି। କେରଳର ୩୮୭ଟି କରୋନା ଆକ୍ରାନ୍ତ ମାମଲାରୁ ଏ ପର୍ଯ୍ୟନ୍ତ ୨୧୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତକାଲି କେନ୍ଦ୍ର ସରକାର ୧୭୦ଟି ଜିଲ୍ଲାକୁ ହଟ୍ସ୍ପଟ୍ ରେଡ୍ ଜୋନ୍ ଭାବେ ଚିହ୍ନଟ କରିଥିଲେ। ଏହି ଜିଲ୍ଲାଗୁଡ଼ିକରେ କରୋନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପକୁ ତ୍ବରାନ୍ବିତ କରାଯିବା ସହ ଟେଷ୍ଟିଂ ବ୍ୟବସ୍ଥା ବ୍ୟାପକ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଟ୍ସ୍ପଟ୍ ଚିହ୍ନଟ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଅଧା ଜିଲ୍ଲା ୬ଟି ରାଜ୍ୟ- ତାମିଲନାଡ଼ୁ, ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ରହିଛି।
ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୦୭ଟି ନୂଆ ମାମଲା ରିପୋର୍ଟ ହୋଇଛି। ମୁମ୍ବାଇରେ ସର୍ବାଧିକ ୯୮୭ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୯୫ ଜଣ ସୁସ୍ଥ ହୋଇଥିବା ବେଳେ ୧୮୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ମୃତ୍ୟୁହାରହିଛି। ତେବେ କରୋନା ମୃତ୍ୟୁହାର କ୍ଷେତ୍ରରେ କେରଳ ସ୍ଥିତି ଭିନ୍ନ ରହିଛି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ମାତ୍ର ୨ଟିରେ ସୀମିତ ରହିଛି। ଅନ୍ୟପକ୍ଷରେ ଅଧିକରୁ ଅଧିକ ଲୋକ ପ୍ରତିଦିନ ସୁସ୍ଥ ହେଉଛନ୍ତି। କେରଳ ୨୦୧୮ରେ ନିପା ଭାଇରସ୍ର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଥିବାରୁ ଏହି ଅଭିଜ୍ଞତା କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ଫଳପ୍ରଦ ହେଉଛି। ଦିଲ୍ଲୀରେ ୧୫୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୭୬୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣଙ୍କ ମୃତ୍ୟୁ ଘିଛି। ମଧ୍ୟପ୍ରଦେଶରେ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାତ୍ର ୫୩ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡ଼ୁରେ କରୋନାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୧୮ ଜଣ ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/fsdhsfhsfh7sf987hs98fh4fs65h4sf65h4sf65h4sf65hsfhsfhsfhfhsshfhfhshfhfhsfhhffhhffhfhs.jpg)