ନୂଆଦିଲ୍ଲୀ: ବ୍ରିଟେନ ପରେ ଭାରତରେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ଚିହ୍ନଟ ହୋଇଥିବା କରୋନା ଷ୍ଟ୍ରେନ ଚିହ୍ନଟ କରାଯାଇଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଫେବ୍ରୁଆରି ପ୍ରଥମ ସପ୍ତାହରେ ବ୍ରାଜିଲରେ ଚିହ୍ନଟ ହୋଇଥିବା କରୋନା ଷ୍ଟ୍ରେନ ଭାରତରେ ଚିହ୍ନଟ କରାଯାଇଥିଲା। ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ଫେବ୍ରୁଆରି ପ୍ରଥମ ସପ୍ତାହରେ ସାର୍କ-କୋଭ-୨ର ବ୍ରାଜିଲରେ ଚିହ୍ନଟ ହୋଇଥିବା କରୋନା ଷ୍ଟ୍ରେନ ଭାରତରେ ଚିହ୍ନଟ ହୋଇଥିଲା, ଯାହା ଉପରେ ଏବେ ଟିକାର ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ପରୀକ୍ଷଣ ଚାଲିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲର ପ୍ରକାରଗୁଡ଼ିକ ବ୍ରିଟେନର ପ୍ରକାରଠାରୁ ଭିନ୍ନ।

Advertisment

ତାଙ୍କ କହିବା ମୁତାବକ, ଦକ୍ଷିଣ ଆଫ୍ରିକାରୁ ଏଠାକୁ ଫେରିଥିବା ୪ଜଣ ଭାରତୀୟଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ଚିହ୍ନଟ କରାଯାଇଛି। ସମସ୍ତ ଯାତ୍ରୀ ଏବଂ ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଯାଇ କ୍ବାରେଣ୍ଟାଇନ କରାଯାଇଛି। ଏହା ବ୍ୟତୀତ ବ୍ରାଜିଲରେ ଚିହ୍ନଟ ହୋଇଥିବା ‌ଷ୍ଟ୍ରେନ ମଧ୍ୟ ଭାରତରେ ଚିହ୍ନଟ କରାଯାଇଛି।

Covid19 strains in India South Africa Brazil variant timesnownews

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଷ୍ଟ୍ରେନ ଦ୍ବାରା ଭାରତରେ ୧୮୭ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ତେବେ ବ୍ରିଟେନ ଷ୍ଟ୍ରେନ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇନାହିଁ। ସମସ୍ତ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନ କରାଯାଇଛି ଏବଂ ଚିକିତ୍ସା ଚାଲିଛି। ଯେଉଁମାନେ ସେମାନଙ୍କ ସହିତ ଯୋଗାଯୋଗ କରିଥିଲେ ସେମାନଙ୍କୁ ଆଇସୋଲେଟ କରାଯିବା ସହ କରୋନା ପରୀକ୍ଷା କରାଯାଇଛି। ଆମ ପାଖରେ ଉପଲବ୍ଧ ଥିବା ଟିକା ମଧ୍ୟ ବ୍ରିଟେନ ଷ୍ଟ୍ରେନକୁ ହରାଇବାରେ ସକ୍ଷମ।