କରୋନା ଆତଙ୍କ: ଏବେ ପବନରେ ବି ସଂକ୍ରମଣ ଚୀନ୍‌ରେ ୮୧୫ ମୃତ, ୩୭ ହଜାର ଆକ୍ରାନ୍ତ

ବେଜିଂ: ଚୀନ୍‌ରେ କରୋନା ଭାଇରସ୍‌ ବ୍ୟାପିବାକୁ ନେଇ ଆଉ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି। ସାଂଘାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ଭାଇରସ ଏବେ ପବନରେ ବି ତା’ର ଉପସ୍ଥିତି ଜାହିର କରିଛି ଏବଂ ସୂକ୍ଷ୍ମ କଣରେ ଏହା ମିଶି ଲୋକଙ୍କ ଶରୀରରେ ପ୍ରବେଶ କରୁଛି। ଏ ପର୍ଯ୍ୟନ୍ତ ଏହି ଭାଇରସର ପ୍ରତ୍ୟକ୍ଷ ସଂକ୍ରମଣ ଏବଂ ସଂପର୍କ ସଂକ୍ରମଣ ହେଉଥିବା ବେଳେ ଏବେ ଏହା ପବନ ଦ୍ବାରା ବି ବ୍ୟାପିବାକୁ ଆରମ୍ଭ କରିଥିବା ସେ କହିଛନ୍ତି। ସାଂଘାଇ ନାଗରିକ ବ୍ୟାପାର ଉପମୁଖ୍ୟ କହିଛନ୍ତି ଯେ ପବନ ଦ୍ବାରା ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥିବାରୁ ଏହା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। ମେଡିକାଲ ବିଶେଷଜ୍ଞଙ୍କ କହିବା ମୁତାବକ ଏହାଦ୍ବାରା ଶ୍ବାସ ପ୍ରଶ୍ବାସ ଯୋଗୁଁ ମଧ୍ୟ ସଂକ୍ରମଣ ହେଉଛି। ଲୋକଙ୍କୁ ଏ ବାବଦରେ ସର୍ବାଧିକ ସତର୍କ ରହିବାକୁ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଏବଂ ପରିବାରର କୌଣସି ସଦସ୍ୟ ସଂକ୍ରମିତ ହେବାମାତ୍ରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ପାଇଁ କୁହାଯାଇଛି।
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି କାଶିବା ଏବଂ ଛିଙ୍କିବା ଦ୍ବାରା ମଧ୍ୟ ନିକଟରେ ଥିବା ବ୍ୟକ୍ତିଙ୍କୁ ଭାଇରସ ଆକ୍ରାନ୍ତ କରିଥାଏ। ସଂକ୍ରମିତ ବ୍ୟକ୍ତି ‌ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀରେ ଏହି ଭାଇରସ ଯୁକ୍ତ ସୂକ୍ଷ୍ମ କଣ ଲାଗି ରହିଥାଏ ଏବଂ ପରବର୍ତ୍ତୀ ସମୟରେ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିଥାଏ।

ବେଜିଂ: ଚୀନ୍‌ରେ ମାରାତ୍ମକ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ସଂଖ୍ୟା ଆଜି ୮୧୫ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। କରୋନା ମୃତ୍ୟୁସଂଖ୍ୟା ‘ସିଭିୟର୍‌ ଆକ୍ୟୁଟ୍‌ ରେସ୍‌ପାଇରେଟରି ସିଣ୍ଡ୍ରମ୍‌’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ଥିଲା। ଗତକାଲି ୮୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୬୫୬ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଚୀନ୍‌ର ୧୬ଟି ପ୍ରଦେଶରେ କରୋନା ଭୟାନକ ରୂପ ନେଇଛି।

ସମ୍ବନ୍ଧିତ ଖବର