ଦକ୍ଷିଣ ଆମେରିକାରେ ସ୍ଥିତି ଜଟିଳ : ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍‌, ପେରୁରେ ୨୦ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମହାମାରୀ ଏବେ ଦକ୍ଷିଣ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଆମେରିକାରେ ସଂକ୍ରମଣ ଅତି ଉଦ୍‌ବେଗଜନକ ହୋଇଉଠିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏନେଇ ସତର୍କ କରାଇ ସାରିଛନ୍ତି। ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା‌ ଥିବା ୧୦ ରାଷ୍ଟ୍ର ମଧ୍ୟରେ ଦକ୍ଷିଣ ଆମେରିକାର ୪ଟି ରାଷ୍ଟ୍ର ରହିଛି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଆମେରିକାରେ ବ୍ରାଜିଲ୍‌, ପେରୁ ଏବଂ ଚିଲିରେ ସଂକ୍ରମଣ ସାଂଘାତିକ ଭାବେ ବଢ଼ି ଚାଲିଛି। ସେହିପରି ଆର୍ଜେଣ୍ଟିନା, ବଲିଭିୟା, କଲମ୍ବିଆ ଏବଂ ହାଇତିରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଦକ୍ଷିଣ ଆମେରିକାର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ଭାବେ ବ୍ରାଜିଲ୍‌ ଏବେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ଥିବାବେଳେ ଏଠାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ୩୦ ହଜାର ଟପିଛି। ୱାର୍ଲ୍ଡ ମିଟର ତଥ୍ୟ ଅନୁଯାୟୀ ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୩୧ ହଜାର ୩୦୯ରେ ପହଞ୍ଚିଛି। ତେବେ ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ଟପି ଯାଇଥିବାବେଳେ ୫୦ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟାର କେବଳ ୬୦ ପ୍ରତିଶତ ବ୍ରାଜିଲ୍‌ରୁ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ୟୁରୋପ୍‌ରେ ସଂକ୍ରମଣ କମୁଛି। ରୁଷ୍‌, ଫ୍ରା‌ନ୍ସ, ଇଟାଲି ଏବଂ ବ୍ରିଟେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ଏସବୁ ରାଷ୍ଟ୍ରମାନଙ୍କରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଛି।

ଦକ୍ଷିଣ ଆମେରିକାର ପେରୁରେ ୨୦ ସାମ୍ବାଦିକଙ୍କ କ‌ରୋନାରେ ମୃତ୍ୟୁ ହୋଇଛି। ଏହି ସାମ୍ବାଦିକମାନେ ବିଭିନ୍ନ ହସ୍ପିଟାଲ୍‌ ଯାଇ ଖବର ସଂଗ୍ରହ କଲାବେଳେ ସଂକ୍ରମିତ ହୋଇଛନ୍ତି। ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୦ ହଜାରରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୦ ହଜାର ଟପିଛି। ଆମେରିକ‌ାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮ ହଜାରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର