ବେଜିଂ: କରୋନା ଭାଇରସ୍ ମହାମାରୀ ରୂପ ନେବାକୁ ଯାଉଛି ବୋଲି ପ୍ରଥମେ ଚୀନ୍ ସରକାରଙ୍କୁ ସତର୍କ କରାଇଥିବା ଡାକ୍ତର ଲି ୱେନଲିଆଙ୍ଗ୍ଙ୍କର ଗତକାଲି ମୃତ୍ୟୁ ଘଟିଥିବାରୁ ଏହାକୁ ନେଇ ଦେଶବ୍ୟାପୀ କ୍ରୋଧ ଦେଖିବାକୁ ମିଳିଛି। ଚୀନ୍ରେ ଏହି ଭାଇରସ୍ ସଂପର୍କରେ ପ୍ରଥମେ ଲି ଗତ ଡିସେମ୍ବରରେ ସୂଚନା ଦେବା ସହ ଏହା ଚୀନ୍ ପାଇଁ ଅତି ମାରାତ୍ମକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ଏବଂ ସେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। କିନ୍ତୁ ଏହି ଚକ୍ଷୁ ବିଶେଷଜ୍ଞଙ୍କର ଗତକାଲି କରୋନାରେ ମୃତ୍ୟୁ ହେବାପରେ ଏହାକୁ ନେଇ ଚୀନ୍ରେ ଆଲୋଡ଼ନ ସୃଷ୍ଟି ହୋଇଛି। ସବୁ ଅଂଚଳରେ ଚୀନ୍ରେ ନାଗରିକଙ୍କ ମଧ୍ୟରେ କ୍ରୋଧ ତେଜିଛି। ଅଧିକାଂଶ ନାଗରିକ କମ୍ୟୁନିଷ୍ଟ୍ ପାର୍ଟି ଶାସିତ ଦେଶରେ ସ୍ବାଧୀନତା ଦାବି କରିଛନ୍ତି। ଚୀନ୍ର ସୋସିଆଲ ମିଡିଆରେ ଏବେ ସରକାର ବିରୋଧୀ ସ୍ବର ବୃଦ୍ଧି ପାଇଛି । ଅନେକ କହିଛନ୍ତି ଆମକୁ ମତ ରଖିବାର ସ୍ବାଧୀନତା ଦରକାର। ଚୀନ୍ ସୋସିଆଲ ମିଡିଆ ୱିବୋ ଏବଂ ୱିଚାଟ୍ରେ ‘ ୱି ଡିମାଣ୍ଡ୍ ଫ୍ରିଡମ୍ ଅଫ୍ ସ୍ପିଚ୍’ ଛାଇ ଯାଇଛି। ଜଣେ ୱିବୋ ୟୁଜର କହିଛନ୍ତି, ଚୀନ୍ର ଜନତା କେବଳ ଗୋଟିଏ ପ୍ରକାର ସ୍ବାଧୀନତା ପାଉଛନ୍ତି ଏବଂ ତାହା ହେଉଛି ଦେଶର କମ୍ୟୁନିଷ୍ଟ୍ ପାର୍ଟି ଦ୍ବାରା ମିଳୁଥିବା ସ୍ବାଧୀନତା। ଦେଶବାସୀଙ୍କୁ ସ୍ବାଧୀନ ମତପ୍ରକାଶର ଅଧିକାର ମିଳୁ ବୋଲି ଲୋକେ ଦାବି କରିଛନ୍ତି। ସେହିପରି କରୋନା ଭାଇରସ୍କୁ ମୁକାବିଲା କରିବାରେ ସରକାର ଏକ ପ୍ରକାର ବିଫଳ ହୋଇଥିବାରୁ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ବେଜିଂ: ଚୀନ୍ରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁସଂଖ୍ୟା ୬୪୦ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଅତି ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଭାଇରସ୍ ସହ ମୁକାବିଲା ପାଇଁ କିଛି ଔଷଧ କି ଇଂଜେକ୍ସନ ନଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଚୀନ୍ରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ରୋଗୀମାନେ ମଧ୍ୟ ପ୍ରବଳ ମାନସିକ ଚାପରେ ରହିଛନ୍ତି। ମେଡିକାଲ୍ କର୍ମୀ ଏବଂ ରୋଗୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚୀନ୍ର ଜାତୀୟ ସ୍ବାସ୍ଥ୍ୟ କମିସନ୍ ପକ୍ଷରୁ ଗତ ଫେବ୍ରୁଆରି ୨ ତାରିଖରେ ଏକ ନୋଟିସ୍ ଜାରି କରି ଏଭଳି ସ୍ଥିତିରେ ମାନସିକ ଚାପକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ସହଯୋଗ କରିବାକୁ କୁହାଯାଇଛି। ଏହି ଭୟଙ୍କର ଭାଇରସ୍ ଏବେ ମେଡିକାଲ କର୍ମୀଙ୍କ ପାଇଁ ବଡ଼ ମାନସିକ ଚାପ ସୃଷ୍ଟି କରିଛି। ଏ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଛି।