କରୋନା ଆତଙ୍କ: ଚୀନ୍‌ରେ ମୃତ୍ୟୁ ହଜାରେ ଟପିଲା, ଡାକ୍ତରଖାନାରେ ଚୀନ୍ ରାଷ୍ଟ୍ରପତି

ବେଜିଂ: ଚୀନରେ ଦିନକୁ ଦିନ କରୋନା ଭାଇରସ ଜନିତ ‌ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଏହି ମୃତ୍ୟୁସଂଖ୍ୟା ଚୀନରେ ୧୦୦୦ ଟପିଛି। ଏହି ରୋଗରେ ମୃତ୍ୟୁ ହାର ମାତ୍ର ୨.୪ ପ୍ରତିଶତ ରହିଥିଲେ ମଧ୍ୟ ସମୁଦାୟ ମୃତକଙ୍କ ସଂଖ୍ୟା ୧୦୧୬ରେ ପହଞ୍ଚିଛି। ଏହି ଦେଶରେ ଉକ୍ତ ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୨ ହଜାର ଅତିକ୍ରମ କରିଛି। ଗତ ଡିସେମ୍ବରରେ ଏହି ରୋଗ ପ୍ରଥମେ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଆଜି ଗୋଟିଏ ଦିନରେ ମୃତ୍ୟୁସଂଖ୍ୟା ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରି ୧୦୮ରେ ପହଞ୍ଚିଛି। କେବଳ ଚୀନ୍ ନୁହେଁ ୨୫ଟି ଦେଶକୁ କରୋନା ବ୍ୟାପିଗଲାଣି। ଚୀନ୍ ସରକାର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ଲୋକଙ୍କୁ ଘରେ ବନ୍ଦ କରି ରଖିଛନ୍ତି। ଅନେକ ଦେଶର ସରକାର ସେମାନଙ୍କ ଦେଶ ଭିତରକୁ ଚୀନ୍ ନାଗରିକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ବିଶ୍ବର ବିଭିନ୍ନ ଏୟାରଲାଇନ୍ସ ଚୀନକୁ ସେମାନଙ୍କ ବିମାନ ଚଳାଚଳକୁ ମଧ୍ୟ ବାତିଲ କରିଦେଇଛନ୍ତି।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହି ଭାଇରସ୍ ବିରୋଧରେ ଗଣ ଲଢ଼େଇର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି। ହୁବେଇ ପ୍ରଦେଶରୁ ଆରମ୍ଭ ହୋଇଥିବା ଏହି ରୋଗ ଚୀନର ଅନ୍ୟାନ୍ୟ ପ୍ରଦେଶକୁ ବ୍ୟାପିବା ପରେ ପ୍ରାୟତଃ ଦେଖିବାକୁ ମିଳୁ ନଥିବା ରାଷ୍ଟ୍ରପତିଙ୍କୁ ଗତକାଲି ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ମୁହଁରେ ମୁଖା ପିନ୍ଧି ବେଜିଂ ସ୍ଥିତ ଏକ ଡାକ୍ତରଖାନାରେ ସେ ତାଙ୍କ ଶରୀରର ତାପମାତ୍ରା ମାପୁବା ଏବଂ ଡାକ୍ତରଖାନା କର୍ମଚାରୀ ଓ ରୋଗୀଙ୍କ ସହ କଥାହେବାର ଫଟୋ ଓ ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ହୁବେଇର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଅଛି ଏବଂ ଯଥେଷ୍ଟ ଅଧିକ ନିର୍ଣ୍ଣାୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଚୀନ୍ ବାହାରେ ଅନ୍ୟ ଯେଉଁଠି ଅଧିକ ସଂଖ୍ୟକ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ତାହା ହେଲା ଜାପାନ ଉପକୂଳରେ ଠିଆ ହୋଇ ରହିଥିବା ଡାଇମଣ୍ଡ ପ୍ରିନ୍‌ସେସ୍ ଜାହାଜ। ସେହି ଜାହାଜରେ ୧୩୫ ଜଣଙ୍କ ଠାରେ କରୋନା ଭାଇରସ ପଜିଟିଭ ଥିବା ଜଣାଯାଇଛି।

ୟୁଏଇରେ ଜଣେ ଭାରତୀୟ କରୋନାରେ ପୀଡ଼ିତ
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜଣେ ଭାରତୀୟ କରୋନ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ନିକଟରେ ସେ ଜଣେ କରୋନା ଆକ୍ରାନ୍ତ ରୋଗୀଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତି ଜଣକ ଏହି ରୋଗରେ ପୀଡ଼ିତ ହୋଇଥିବା ଜଣାଯାଇଛି। ଜଣେ ଭାରତୀୟ ଏହି ରୋଗରେ ଚିହ୍ନଟ ହେବା ପରେ ୟୁଏଇରେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର