ଚୀନ୍‌ର ଦାବି: କରୋନା ଭାଇରସ୍‌ର ଚିକିତ୍ସା ଉପାୟ ମିଳିସାରିଛି, ବ୍ଲଡ୍‌ ପ୍ଲାଜ୍‌ମାରେ ହେବ ଆକ୍ରାନ୍ତଙ୍କ ଚିକିତ୍ସା

ମୃତ୍ୟୁସଂଖ୍ୟା ୧୬୩୧, ୩ ହଜାର ନୂଆ ଆକ୍ରାନ୍ତ

ବେଜିଂ: ଚୀନ୍‌ର ସରକାରୀ ମେଡିକାଲ କମ୍ପାନି ନ୍ୟାସନାଲ ବାୟୋଟେକ୍‌ ଗ୍ରୁପ୍‌ ଦାବି କରିଛି ଯେ କରୋନା ଭାଇରସ୍‌ର ସଫଳ ଚିକିତ୍ସା ପାଇଁ ଉପାୟ ମିଳିସାରିଛି। ବ୍ଲଡ୍‌ ପ୍ଲାଜ୍‌ମା ଦ୍ବାରା ଭାଇରସ୍ ଆକ୍ରାନ୍ତଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇ ପାରିବ ବୋଲି ଚୀନ୍‌ର ଏହି ସରକାରୀ ଉଦ୍ୟୋଗ ଦାବି କରିଛି। ୮ ଫେବ୍ରୁଆରି ପରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ପ୍ରାୟ ୧୦ ଜଣ ଗୁରୁତର ରୋଗୀଙ୍କ ଚିକିତ୍ସା ଏହି ପଦ୍ଧତିରେ କରାଯାଇଥିଲା ଏବଂ ସମସ୍ତ ରୋଗୀ ଏଥିରେ ସୁସ୍ଥ ହୋଇଥିବା କୁହାଯାଇଛି। ବ୍ଲଡ୍‌ ପ୍ଲାଜ୍‌ମା ଦ୍ବାରା ଚିକିତ୍ସା ପ୍ରୟାସ ଶତ ପ୍ରତିଶତ ସଫଳ ହୋଇଥିବାରୁ ସରକାର ଏବେ ଏହି ମାଧ୍ୟମରେ ଚିକିତ୍ସାର ପ୍ରସାର ଘଟାଇବାକୁ ବଡ଼ ଯୋଜନା କରିଛନ୍ତି। ଏହି ପଦ୍ଧତିରେ ଚିକିତ୍ସା ପାଇଁ ପୂର୍ବରୁ ଯେଉଁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପରେ ସୁସ୍ଥ ହୋଇଥିବେ କେବଳ ସେମାନଙ୍କ ବ୍ଲଡ୍‌ ପ୍ଲାଜ୍‌ମା ହିଁ କାମରେ ଆସିବ ବୋଲି କୁହାଯାଇଛି। ଏଥିପାଇଁ ସମଗ୍ର ଦେଶରୁ ଏବେ ଚୀନ୍‌ ସରକାର କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ବ୍ଲଡ୍‌ ପ୍ଲାଜ୍‌ମା ସଂଗ୍ରହ କରୁଛନ୍ତି। ଏବେ ୭୭ ନୂଆ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତି ପ୍ରାୟୋଗ କରାଯାଉଥିବା ଜଣାପଡ଼ିଛି।

ଜାପାନ କ୍ରୁଜ୍‌ରେ ଆଉ ୬୭ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଜାପାନର ୟୋକୋହାମା ତଟରେ ଲାଗିଥିବା ଡାଏମଣ୍ଡ୍‌ ପ୍ରିନ୍ସ କ୍ରୁଜ୍‌ରେ ଆଉ ୬୭ ଜଣ କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ଜାହାଜର ଦାୟିତ୍ବ ଏବେ ଜାପାନ ସେନା ହାତରେ ରହିଛି ଏବଂ ଚିକିତ୍ସା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହି ଜାହାଜରେ ୩ ଜଣ ଭାରତୀୟ ମଧ୍ୟ କରୋନା ଆକ୍ରାନ୍ତ ଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।

ୟୁରୋପରେ ପ୍ରଥମ କରୋନା ମୃତ୍ୟୁ
ବେଜିଂ: ଚୀନ୍‌ରେ ଅତି ମାରାତ୍ମକ କରୋନା ଭାଇରସ୍‌ର ଆତଙ୍କ ଜାରି ରହିଛି। ପ୍ରତି ମିନିଟ୍‌ରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ଆଜି ସୁଦ୍ଧା କରୋନା ଚୀନ୍‌ରେ ୧୬୩୧ ଜଣଙ୍କ ଜୀବନ ନେଇଛି ଏବଂ ବିଗତ ଦୁଇ ଦିନ ମଧ୍ୟରେ ଆଉ ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚୀନ୍‌ରେ କରୋନା ଭାଇରସ୍‌ର ସର୍ବାଧିକ ପ୍ରଭାବ ଥିବା ହୁୱେଇ ପ୍ରଦେଶରେ ଗତକାଲି ୧୩୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଚୀନ୍‌ର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ ଆଜି ଏହି ତଥ୍ୟ ଜାରି କରିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି। ଚୀନ୍‌ର ରାଜଧାନୀ ବେଜିଂରେ ଗତକାଲି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସେଠାରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କରୋନା ଭାଇରସ ସୁଦୂର ଆମେରିକା ଏବଂ ୟୁରୋପ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ବେଳେ ବିଶ୍ବ ବ୍ୟାପୀ ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଜି ୟୁରୋପରେ କରୋନା ଭାଇରସ୍‌ରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେ ଜଣେ ଚୀନ୍‌ ନାଗରିକ ଏବଂ ଫ୍ରାନ୍ସ ବୁଲିବାକୁ ଯାଇଥିବାବେଳେ ସେଠାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର