ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଆଉ ଜଣେ ଭାରତୀୟଙ୍କୁ କରୋନା ଭାଇରସ ସଂକ୍ରମଣ, ମୋଟ ସଂଖ୍ୟା ୭ରେ ପହଞ୍ଚିଲା

ନୂଆଦିଲ୍ଲୀ : ଜାପାନର ୟାକାହାମା ଉପକୂଳରେ ଅଟକି ରହିଥିବା ଡାଇମଣ୍ଡ ପ୍ରିନସେସ ଜାହାଜରେ ଆଉ ଦୁଇ ଭାରତୀୟଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏହି ଜାହାଜରେ ଥିବା ମୋଟ ୧୩୮ ଜଣ ଭାରତୀୟଙ୍କ ମଧ୍ୟରୁ ୭ ଜଣଙ୍କଠାରେ କରୋନା ଭାଇରସ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ଦୁଇଜଣଙ୍କୁ ମିଶାଇ ଜାହାଜରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂଥ୍ୟା ୬୨୧ ରେ ପହଞ୍ଚିଲାଣି । ଏହି ସଂକ୍ରମିତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଜାହାଜରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି । ଜାହାଜ ଭିତରେ ସ୍ଥିତି ଅତ୍ୟନ୍ତ ସଂଗୀନ ଥିବା କେତେକ ଜାପାନି ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

ବୁଧବାରଦିନ ଜାପାନ ସରକାର ସଂକ୍ରମିତ ଲୋକଙ୍କୁଛାଡ଼ି ଅନ୍ୟମାନଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛନ୍ତି । ଏହା ପରେ ଏଥିରେ ଥିବା ଶହ ଶହ ଅସଂକ୍ରମିତ ଯାତ୍ରୀ ଘରକୁ ଯିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଆମେରିକା ଓ ଅଷ୍ଟ୍ରେଲିଆ ଏଥିରେ ଥିବା ନିଜ ନିଜର ନାଗରିକଙ୍କୁ ଉଦ୍ଧାର କରିବା ବିଷୟରେ ଘୋଷଣା କରିଛନ୍ତି ।

ଗତ ଶନିବାରଦିନ ଜାପାନ ସରକାର ଘୋଷଣା କରିଥିଲେ ଯେ ୧୭ ତାରିଖଠାରୁ ଯାତ୍ରୀମାନଙ୍କର ଚୂଡ଼ାନ୍ତ ରକ୍ତ ପରୀକ୍ଷା କରାଯିବ ଓ ସୁସ୍ଥ ବ୍ୟକ୍ତିମାନଙ୍କୁ ନିଜ ନିଜ ଦେଶକୁ ଯିବାକୁ ଅନୁମତି ଦିଆଯିବ । ସୂଚନାଯୋଗ୍ୟ ଯେ, ପ୍ରାୟ ୧୬ ଦିନ ପୂର୍ବେ ଏହି ବିଳାସମୟ ଜାହାଜଟି ଜାପାନର ୟାକାହାମା ଉପକୂଳରେ ଲାଗିଥିଲା ।

ସମ୍ବନ୍ଧିତ ଖବର