କରୋନା ଭୂତାଣୁ: ଦ୍ବିତୀୟ ସଂକ୍ରାମକ ଲହଡ଼ି ସମ୍ଭବ, ଭାରତ ତଥାପି ସଂକ୍ରମଣର ଶୀର୍ଷ ଛୁଇଁନି

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ମହାମାରୀ କରୋନାଭୂତାଣୁ ସାର୍ସ-କୋଭ୍-୨ର ପ୍ରାଦୁର୍ଭାବ ଥମିନଥିବା ବେଳେ କିଛି କିଛି ଦେଶରେ ମଧ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଗତ ମେ’ରେ ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୨,୩୯,୬୩୮ ଏବଂ ମୃତକଙ୍କ ସଂଖ୍ୟା ୨୭,୧୨୭ରେ ସ୍ଥିର ରହିଥିବା ବେଳେ ଗତ ଜୁନ୍‌ ପହିଲାରେ ସେଠାରେ ଅଧିକ ୭୧ ଜଣ ନୂଆ ସଂକ୍ରମିତଙ୍କୁ ଠାବ କରାଯାଇଥିଲା ଯଦିଓ ମୃତକଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସିନଥିଲା। ଏବେ ସେଠାରେ ଲକ୍‌ଡାଉନ୍‌ କଟକଣା ହଟିଯିବା ପରେ ଜୁଲାଇ ୩୦ ପରଠାରୁ ପ୍ରତ୍ୟହ ହଜାରେରୁ ଅଧିକ ନୂଆ ସଂକ୍ରମଣ ମାମଲା ନଜରକୁ ଆସୁଛି। ଏବେ ସ୍ପେନ୍‌ର ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩,୫୨,୮୪୭ ହୋଇଥିବା ବେଳେ ମୃତକ ମଧ୍ୟ ୨୮,୪୯୯ ହୋଇଛନ୍ତି। କରୋନାଭୂତାଣୁର ଏଭଳି ପୁନରୁତ୍ଥାନ ଯୋଗୁଁ ଫ୍ରାନ୍ସ ଓ ନରୱେ ପରି ଦେଶ ଗମନାଗମନରେ ନୂଆ କଟକଣା ଲଗାଇବାକୁ ବାଧ୍ୟ ହୋଇଥିବା ବେଳେ ସ୍ପନ୍‌ରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଇଂଲଣ୍ଡ ସଂଗରୋଧ ଜାରି କରିଛି। ସେହିପରି ମଧ୍ୟପ୍ରାଚ୍ୟ ଇସ୍ରାଏଲ୍‌ରେ କରୋନାଭୂତାଣୁ ନିୟନ୍ତ୍ରଣକୁ ଚାଲି ଆସିଥିବା ବେଳେ ଏବେ ସେଠାରେ କିଛିଦିନ ହେଲା ଦୈନିକ ୧୭୦୦ରୁ ଅଧିକ ସଂକ୍ରମଣ ଦେଖାଯାଉଛି।

ଏହି ମହାମାରୀ ଭୂତାଣୁ ଆଗକୁ ଭୀଷଣ କାୟା ମେଲିବାକୁ ଯାଉଛି ବୋଲି ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସତର୍କ କରାଇ ଦେଇଛି। ଏହା ଉପରେ କୌଣସି ଋତୁକାଳୀନ ପ୍ରଭାବ ପଡ଼ିବାର ପ୍ରମାଣ ନଥିବାରୁ ମହାମାରୀ ଆହୁରି ଦୀର୍ଘକାଳ ତିଷ୍ଠିରହିବ ବୋଲି ମଧ୍ୟ ହୁ’ ଆଶଙ୍କା ପ୍ରକଟ କରିଛି। ଭାରତରେ ସମ୍ପ୍ରତି ଲକ୍‌ଡାଉନ୍‌ ହଟାଯାଇ ତୃତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଆରମ୍ଭ ହୋଇଯାଇଥିବା ବେଳେ ଏଠାରେ ସଂକ୍ରମଣ ତଥାପି ଶୀର୍ଷ ଛୁଇଁନାହିଁ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଆମ ଦେଶରେ ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଥରେ ଏଥିରେ ହ୍ରାସ ଆସିଲେ ହିଁ ସଂକ୍ରମଣର ଦ୍ବିତୀୟ ଲହଡ଼ି କଥା ଚିନ୍ତା କରାଯିବ ବୋଲି ଚର୍ମରୋଗ ଓ ସଂକ୍ରାମକ ରୋଗ ବିଭାଗର ପ୍ରାକ୍ତନ ବୈଜ୍ଞାନିକ ଡା. ଲଳିତ କାନ୍ତ କହିଛନ୍ତି। ଆଗରୁ ଏହା ଜୁଲାଇରେ ଶୀର୍ଷ ଛୁଇଁବ ବୋଲି ଆକଳନ କରାଯାଉଥିଲା। ପରେ ପରେ ତାହା ଆଗାମୀ ସେପ୍ଟେମ୍ବରରେ ଘଟିପାରେ ବୋଲି ଅନେକ ବିଶ୍ବାସ ରଖିଛନ୍ତି। ତେବେ ସରକାରୀ କଳର ପ୍ରଚେଷ୍ଟା ଏବଂ ସର୍ବସାଧାରଣଙ୍କ ଚରିତ୍ର ଉପରେ ଏହା ନିର୍ଭର କରେ। ଅବଶ୍ୟ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବାକୁ ନିକଟତର ବୋଲି ସେ କହିଛନ୍ତି। ସେଠାରେ ଚାଲିଥିବା ସେରୋ ସର୍ବେକ୍ଷଣରୁ ପ୍ରତି ପାଞ୍ଚ ଜଣଙ୍କ ଭିତରୁ ଚାରି ଜଣଙ୍କୁ ସଂକ୍ରମଣ ହୋଇନଥିବା ଜଣାଯାଇଛି। ଅର୍ଥାତ୍ ଆହୁରି ଅନେକ ମଧ୍ୟ ସଂକ୍ରମଣ ଗ୍ରହଣକ୍ଷମ ହୋଇ ରହିଥିବାରୁ କରୋନାଭୂତାଣୁ ଉପଦ୍ରବର ଦ୍ବିତୀୟ ଢେଉ ନ ଆସିବ ବୋଲି କିଛି କହିହେବନାହିଁ।

ସମ୍ବନ୍ଧିତ ଖବର