କରୋନା ମୁକାବିଲା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ, ଡାକ୍ତର ଓ ତାଲିମର ଅଭାବ ସମସ୍ୟା ସୃଷ୍ଟି କରିବ

ନୂଆଦିଲ୍ଲୀ : ଭାରତରେ ଏବେ ୨୯ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ଭାଇରସ୍‌ ଦ୍ରୁତି ଗତିରେ ବ୍ୟାପିଲେ ଭାରତ ଏହାକୁ ସହଜରେ ନିୟନ୍ତ୍ରଣ କରିପାରିବ ନାହିଁ। ଭାରତ ପାଇଁ ଏବେ କରୋନା ମୁକାବିଲା ସବୁଠାରୁ ବଡ଼ ଆହ୍ବାନ ଭାବେ ଦେଖାଦେଇଛି। ଏମ୍ସର ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ କହିଛନ୍ତି, ଦକ୍ଷିଣ କୋରିଆ, ଇଟାଲି ଏବଂ ଆମେରିକା ସ୍ଥିତିକୁ ଦେଖି‌ଲେ ସ୍ପଷ୍ଟ ଅନୁମେୟ ହେଉଛି ଯେ ଭାରତରେ ସ୍ଥିତି କେତେ ସଙ୍କଟଜନକ ହେବ। କିଛି ଜରୁରୀ ସ୍ଥିତି ଉପୁଜିବା ପୂର୍ବରୁ ପ୍ରଥମେ ହସ୍ପିଟାଲ୍‌ ଏବଂ ତାଲିମପ୍ରାପ୍ତ‌ ମେଡିକାଲ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ପଡ଼ିବ। ୱାର୍ଡଗୁଡ଼ିକୁ ଆଇସୋଲେଟେଡ୍‌ ଆଇସିୟୁରେ ପରିଣତ କରିବାକୁ ପଡ଼ିବ ଏବଂ ୫ ପ୍ରତିଶତ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ମହଜୁଦ ରଖିବାକୁ ପଡ଼ିବ ବୋଲି ଗୁଲେରିଆ କହିଛନ୍ତି।

ଭାରତରେ ଡାକ୍ତର , ସ୍ବାସ୍ଥ୍ୟ କର୍ମୀ ଏବଂ ହସ୍ପିଟାଲ୍‌ ବେଡ୍‌ର ଅଭାବ ଥିବାରୁ ଭାଇରସ୍‌ ସହ ମୁକାବିଲା କରିବା ବହୁତ ବଡ଼ ଆହ୍ବାନ ହେବ। ବିଶେଷ କରି ଗ୍ରାମୀଣ ଅଞ୍ଚଳ ଏବଂ ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକରେ ଅତି ଦୟନୀୟ ସ୍ଥିତି ଉପୁଜିବ। ଭାରତରେ ୧.୧ ନିୟୁତ ଏଲେପାଥିକ୍‌ ଡାକ୍ତର ୨୦୧୯ ଡିସେମ୍ବରରେ ବୋର୍ଡ ଅଫ୍‌ ଗଭର୍ଣ୍ଣର୍‌ସ/ ଷ୍ଟେଟ୍‌ ମେଡିକାଲ କାଉନ୍‌ସିଲ୍‌ସ/ ମେଡିକାଲ କାଉନ୍‌ସିଲ ସହ ପଂଜିକୃତ ହୋଇଛନ୍ତି। ଏହା ଆକଳନ କରାଯାଉଛି ଯେ ୯.୨୬ ଲକ୍ଷ ଡାକ୍ତର ସକ୍ରିୟ ଭାବେ ସେବା ପାଇଁ ଉପଲବ୍ଧ ‌ହେବେ। ଗତବର୍ଷ ଲୋକସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏହି ସୂଚନା ଦେଇଥିଲେ। କିଛି ଡାକ୍ତର ଅବସର ନେଉଥିବା ବେଳେ ଆଉ କିଛି ଡାକ୍ତର ହସ୍ପିଟାଲ୍‌ ପ୍ରଶାସନ ଦାୟିତ୍ବରେ ରହୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଡାକ୍ତର ବିଦେଶ ଚାଲି ଯାଉଛନ୍ତି। ଫଳରେ ଜନବହୁଳ ଭାରତରେ କରୋନା ବ୍ୟାପିଲେ ଏହାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିବ। କେବଳ ଡାକ୍ତର ନୁହନ୍ତି ଭାରତରେ ନର୍ସଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ରହିଛି। ଅନ୍ୟପକ୍ଷେ ଗ୍ରାମୀଣ ଅଞ୍ଚଳରେ ଲୋକମାନେ ସମ୍ପୂର୍ଣ୍ଣ ଭାବେ ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରି‌ବେ। ଏବେ ଦେଶରେ ପ୍ରତି ୧୦,୯୨୬ ଜନସଂଖ୍ୟାରେ ମାତ୍ର ଜଣେ ଡାକ୍ତର ରହିଛନ୍ତି।

ସମ୍ବନ୍ଧିତ ଖବର