ଭାରତରେ ବଢ଼ୁଛି କରୋନା ପ୍ରକୋପ: ଆକ୍ରାନ୍ତଙ୍କ ସଂଖ୍ୟ ୮୧ ଛୁଇଁଲା, କେରଳରେ ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ

ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ, ୪ ରାଷ୍ଟ୍ରର ସୀମା ସିଲ୍‌ କଲା ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। କର୍ଣ୍ଣାଟକରେ ପ୍ରଥମ କରୋନା ମୃତ୍ୟୁକୁ ନେଇ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ଦେଶବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚିଛି। ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ ଭାରତୀୟ, ୧୬ ଜଣ ଇଟାଲୀୟ ଏବଂ ଜଣେ କାନାଡ଼ାର ନାଗରିକ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେରଳର କୋଟ୍ଟାୟମ ହସ୍ପିଟାଲରେ ଆଜି ଜଣେ ୭୨ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। ତେବେ ଏହି ବ୍ୟକ୍ତିଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍‌ ନଥିଲା ବୋଲି ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେତେକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ବାବଦରେ ଚୂଡ଼ାନ୍ତ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଦେଶରେ କରୋନା ନିୟନ୍ତ୍ରଣରେ ରହିଛି ଏବଂ ଏହାର ମୁକାବିଲା ପାଇଁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲ କହିଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ କରୋନା ନିୟନ୍ତ୍ରଣ ପାଇଁ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମଲ୍‌, ଜିମ୍‌ ଏବଂ ସିନେମା ହଲ୍‌ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀରେ କେଜ୍ରିୱାଲ ସରକାର କରୋନାକୁ ମହାମାରୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ସମସ୍ତ ସ୍କୁଲ୍‌, କଲେଜକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଜାମିଆ ଏବଂ ଜେଏନ୍‌ୟୁରେ ମଧ୍ୟ କୌଣସି କ୍ଲାସ୍‌ ହେବନାହିଁ ବୋଲି ଘୋଷଣା ହୋଇଛି।

କର୍ଣ୍ଣାଟକରେ ବିବାହ ଉତ୍ସବ ଏବଂ ସମର କ୍ୟାମ୍ପ୍‌ ମଧ୍ୟ ଆୟୋଜନ କରିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି। ସମସ୍ତ ସରକାରୀ ଡାକ୍ତର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଛୁଟି ମଧ୍ୟ ରଦ୍ଦ କରାଯାଇଛି । କର୍ଣ୍ଣାଟକର କଲବୁର୍ଗିରେ ଜଣେ ବରିଷ୍ଠ ନାଗରିକଙ୍କ କରୋନାରେ ମୃତ୍ୟୁ ହେବାପରେ ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ଉତ୍ତର ପ୍ରଦେଶ ସରକାର ପ୍ରତ୍ୟେକ ଜିଲ୍ଲାରେ ଆଇସୋଲେସନ ୱାର୍ଡ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ରାଜ୍ୟ ସରକାର କରୋନାକୁ ମହାମାରୀ ଘୋଷଣା କରିନାହାନ୍ତି। ୟୁପିରେ ୨୪ଟି ମେଡିକାଲ କଲେଜରେ ୪୪୮ଟି ବେଡ୍‌ କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ମହାରାଷ୍ଟ୍ର ସରକାର କରୋନାକୁ ମହାମାରୀ ଘୋଷଣା କରିବା ସହ ଜିମ୍‌, ଫିଲ୍ମ ଥିଏଟର ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୧୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଅଡିଟୋରିୟମ୍‌ ଏବଂ ସ୍ବିମିଂ ପୁଲ୍‌ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। କେରଳରେ କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ଲାଗୁ ହୋଇଛି ଏବଂ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। କେରଳରେ ୧୭ ଜଣ ଆକ୍ରାନ୍ତ ଥିବା ବେଳେ ପ୍ରାୟ ୯୦୦ ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି । କରୋନା ନିୟନ୍ତ୍ରଣ ପାଇଁ ଆଜି ଭାରତ ସରକାର ନେପାଳ, ଭୁଟାନ, ବାଂଲାଦେଶ ଏବଂ ମିଅାଁମ୍ୟାର୍‌ ସୀମା ସିଲ୍‌ କରିଛନ୍ତି। ସୀମାପାର ଟ୍ରେନ୍‌, ବସ୍‌ ସେବା ବାତିଲ ହୋଇଛି ଏବଂ ୧୮ଟି ଇମିଗ୍ରେସନ୍‌ ଚେକ୍‌ପୋଷ୍ଟ୍‌ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର