କରୋନା ଭାଇରସ୍‌ ପାଇଁ ଦେଶରେ ଭୟ ବଢ଼ୁଛି

କେରଳ ନର୍ସଙ୍କୁ ଘରକୁ ଆସିବାକୁ ମନାକଲେ ମାଲିକ

ମହିଳାଙ୍କ ଶବଦାହ ପାଇଁ ଶ୍ମଶାନରେ ଜାଗା ମିଳିଲାନି
ଯା‌ଞ୍ଚ ପାଇଁ ମନା କରି ମେଡିକାଲ ଅଧିକାରୀ ନିଲମ୍ବିତ

କୋଟ୍ଟାୟମ୍‌ : କରୋନା ଭାଇରସ୍‌ ପାଇଁ ଏବେ ଦେଶର ଚାରିଆଡ଼େ ଭୟ ଖେଳିଯାଇଛି। ଆ‌ଇ‌ସୋଲେସନ୍‌ ୱାର୍ଡରେ ରହୁଥିବା ଲୋକମାନଙ୍କ ସେବା କରିବାପାଇଁ ବି ନର୍ସମାନେ ଭୟ କରୁଛନ୍ତି। ଏଭଳି ସ୍ଥିତିରେ କେରଳର ଏକ ହସ୍ପିଟାଲ୍‌ରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ୩ ଜଣ ପୁରୁଷ ନର୍ସଙ୍କୁ ବିଭିନ୍ନ ପ୍ରକାର ସାମାଜିକ କଟକଣାର ଶିକାର ହେବାକୁ ପଡ଼ିଛି। ଏହି ୩ ଜଣ ନର୍ସଙ୍କୁ ସେମାନଙ୍କ ଘର ମାଲିକ ଗ୍ରହଣ କରୁନାହାନ୍ତି। ସେମାନଙ୍କ ଉପସ୍ଥିତି ଯୋଗୁଁ ଅନ୍ୟ ପରିବାର ସଦସ୍ୟ ଓ ଘର ଲୋକ ଚିନ୍ତା ପ୍ରକଟ କରୁଛନ୍ତି ବୋଲି ଘର ମାଲିକ ଦର୍ଶାଇ ସେମାନଙ୍କୁ ଘର ଛାଡ଼ିବାକୁ କୁହାଯାଉଛି। ଏଭଳି ଘଟଣା ପରେ ନର୍ସମାନେ ଅସ୍ଥାୟୀ ଭାବେ ରହିବାପାଇଁ ହସ୍ପିଟାଲ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି। କେରଳର ସବୁ ଅଂଚଳରେ ଏବେ ନର୍ସ‌୍‌ମାନେ ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ନର୍ସମାନଙ୍କୁ କେବଳ ଘର ଲୋକ ନୁହେଁ ପୂରା ସମାଜର ସହଯୋଗ ଦରକାର ବୋଲି ମତପ୍ରକାଶ ପାଇଛି।

ସେହିପରି ଜମ୍ମୁ କାଶ୍ମୀରରେ ଜଣେ ମେଡିକାଲ ଅଧିକାରୀ କ୍ବାରେଣ୍ଟିନ୍‌ରେ ଥିବା ସନ୍ଦିଗ୍ଧ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାପାଇଁ ମନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଗତକାଲି ଯେଉଁ ମହିଳାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା ତାଙ୍କ ଶବଦାହ ପାଇଁ ଶ୍ମଶାନରେ ଜାଗା ମିଳିନାହିଁ। ମହିଳାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ସେମାନେ ପ୍ରଥମେ ନିଗମବୋଧ ଶ୍ମଶାନକୁ ଯାଇଥିଲେ କିନ୍ତୁ ସେମାନେ ଶବଦାହ ପାଇଁ ମନାକଲେ। ଆଉ ଏକ ସ୍ଥାନରେ ମଧ୍ୟ ସେମାନଙ୍କୁ ଶବ ଦାହ ପାଇଁ ମନା କରାଯାଇଥିଲା। ଏହାପରେ ଅନ୍ୟ ଏକ ସ୍ଥାନରେ ଶବ ଦାହ ହୋଇଥିଲା।

ସମ୍ବନ୍ଧିତ ଖବର