ନୂଆଦିଲ୍ଲୀ: ଭାରତର ୨୫ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଚାଲିଛି। ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଞ୍ଚିଛି ଏବଂ୧୯ ଜଣ ପ୍ରାଣ ହରାଇଛନ୍ତି। ଗୋଟିଏ ଦିନରେ ୧୪୯ ଜଣ ସଂକ୍ରମଣର ଶିକାର ହୋଇଥିବା ସୂଚନା ରହିଛି। ଅନ୍ୟପକ୍ଷରେ ୭୮ ଜଣ ସୁସ୍ଥ ହୋଇ ଫେରିଛନ୍ତି।
ଗୋଟିଏ ଦିନରେ ୨୦ଟି ରାଜ୍ୟରୁ ୮୮ଟି ନୂଆ ମାମଲା ରିପୋର୍ଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ମହାରାଷ୍ଟ୍ରରେ ଗତକାଲି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜମ୍ମୁ କାଶ୍ମୀରରେ ମଧ୍ୟ ଜଣେ ୬୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ରାଜସ୍ଥାନରେ ଜଣେ ୭୩ ବର୍ଷୀୟ ବୃଦ୍ଧ ଗତକାଲି କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ମଧ୍ୟପ୍ରଦେଶରେ ମଧ୍ୟ ଦ୍ବିତୀୟ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଜଣେ ୩୫ ବର୍ଷର ଯୁବକ କରୋନା ଆକ୍ରାନ୍ତ ହେବାପରେ ଇନ୍ଦୋର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କରୋନା ଆକ୍ରାନ୍ତ ଏବଂ ସେମାନଙ୍କ ଚିକିତ୍ସା ସଂପର୍କରେ ରାଜ୍ୟମାନଙ୍କଠାରୁ ଅହରହ ରିପୋର୍ଟ ସଂଗ୍ରହ କରୁଛନ୍ତି। ଲକ୍ଡାଉନ୍ ବ୍ୟବସ୍ଥା କଡ଼ାକଡ଼ି କରି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛନ୍ତି।
କେନ୍ଦ୍ର ସରକାର ଲକ୍ଡାଉନ୍ ପରିପ୍ରେକ୍ଷୀରେ ବିଶାଳ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିବା ବେଳେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାପାଇଁ ପ୍ରୟାସ ଆରମ୍ଭ ହୋଇଛି। ସହର ଛାଡ଼ି ନିଜ ଭିଟାମାଟିକୁ ଫେରିବାକୁ ଚାହୁଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ପଠାଇବା ପାଇଁ ଉତ୍ତର ପ୍ରଦେଶ ସରକାର କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି। ମଧ୍ୟପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ସରକାର ମଧ୍ୟ ଦାଦନ ଶ୍ରମିକଙ୍କୁ ସେମାନଙ୍କ ନିଜ ଅଂଚଳକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଭାରତୀୟ ସେନା କୋଭିଡ-୧୯ ଅପରେସନକୁ 'ଅପରେସନ ନମସ୍ତେ' ନାମରେ ନାମିତ କରିଛି ଏବଂ ଏ ପର୍ଯ୍ୟନ୍ତ ସେନା ପକ୍ଷରୁ ୮ଟି କ୍ବାରାଣ୍ଟିନ ଶିବିର ସ୍ଥାପନ କରାଯାଇଛି। ୩ ସେନା ଏବେ ମିଳିତ ସମନ୍ବୟରେ କରୋନା ମୁକାବିଲା ପାଇଁ ଅପରେସନ ଆରମ୍ଭ କରିଛନ୍ତି। କରୋନା ଲକ୍ଡାଉନ୍ ପାଇଁ ମନ୍ଦିର ସବୁ ବନ୍ଦ ରହିଥିବାବେଳେ ମସଜିଦ୍ରେ ମଧ୍ୟ ନମାଜ ପାଇଁ ଏକାଠି ନ ହେବାପାଇଁ ଧାର୍ମିକ ନେତାମାନେ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କୋଭିଡ-୧୯ ମୁକାବିଲା ସଂକ୍ରାନ୍ତରେ ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ବରିଷ୍ଠ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି।
କେରଳରେ ଏ ଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ରେ ପହଞ୍ଚିଥିବା ବେଳେ କର୍ଣ୍ଣାଟକରେ ୫୫ ଛୁଇଁଛି। ଦିଲ୍ଲୀରେ ୩୯ ଜଣ ଆକ୍ରାନ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫ରେ ପହଞ୍ଚିଛି। ଲଦାଖ୍ରେ ୧୩ ଜଣ , ରାଜସ୍ଥାନରେ ୪୩ ଜଣ , ତାମିଲନାଡ଼ୁରେ ୩୫ ଜଣ, ତେଲେଙ୍ଗାନାରେ ୪୫ ଜଣ ଏବଂ ହରିୟାଣାରେ ୨୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରହିଥିବା ବେଳେ ପଶ୍ଚିମବଙ୍ଗରେ ୧୧, ମଧ୍ୟପ୍ରଦେଶରେ ୨୩ ଏବଂ ବିହାରରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସୂତ୍ରରୁ ଜଣାପଡ଼ିଛି।