ଭାରତ ପାଇଁ ସମାଧାନର ବାଟ ହେବ କି ଗୋଷ୍ଠୀ ପ୍ରତିରୋଧକ ଶକ୍ତି?
ନୂଆଦିଲ୍ଲୀ : ଦୁଇ ମାସର ଲକ୍ଡାଉନ୍ ସତ୍ତ୍ବେ ଦେଶରେ ସଂକ୍ରମଣ ବଢ଼ି ଚାଲିଛି। କରୋନା ମହାମାରୀର ଚିକିତ୍ସା ପାଇଁ ଏଯାବତ୍ କୌଣସି ଟିକା କି ଔଷଧ ବାହାରିନି। ଏଭଳି ସ୍ଥିତିରେ କେବେ ଏହି ମହାମାରୀର ଅନ୍ତ ଘଟିବ ସେନେଇ ଏବେ ସମସ୍ତେ ଅନିଶ୍ଚିତତାରେ। କିନ୍ତୁ ଏସବୁ ପରେ ବି କରୋନା ମହାମାରୀ ସହ ଲଢ଼ିବାପାଇଁ ଗୋଟିଏ ସମ୍ଭାବ୍ୟ ବାଟ ରହିଛି ଏବଂ ତାହା ହେଉଛି ଗୋଷ୍ଠୀ ପ୍ରତିରୋଧକ ଶକ୍ତି (ହର୍ଡ ଇମ୍ୟୁନିଟି)। ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଦ୍ବାରା କରୋନାକୁ ସହଜରେ ମୁକାବିଲା କରିହେବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଷ୍ଠୀ ପ୍ରତିରୋଧକ ଶକ୍ତି ହେଉଛି ଏଭଳି ଏକ ସ୍ଥିତି ଯେଉଁଠି ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରାମକ ରୋଗ ସହ ଲଢ଼ିବାପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରନ୍ତି। ଏହି ବ୍ୟବସ୍ଥାରେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ୬୦ ଭାଗ ଲୋକଙ୍କୁ ସଂକ୍ରମିତ କରାଯାଇ ମେଡିକାଲରେ ଭର୍ତି କରାଯିବ। ସେମାନେ ଆରୋଗ୍ୟ ହୋଇ ଫେରିଲେ ସେମାନଙ୍କ ଦେହରେ ସଂକ୍ରମଣ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଫଳରେ ସେହି ଅଞ୍ଚଳରେ ସଂକ୍ରମଣକୁ ରୋକାଯାଇପାରିବ। ବିଶେଷଜ୍ଞମାନେ କହୁଛନ୍ତି କରୋନା ସହ ଲଢ଼ିବାପାଇଁ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ହିଁ ଏକମାତ୍ର ବାଟ। ଉର୍ମିଳା କୁଲ୍କର୍ଣ୍ଣି ନାମକ ଜଣେ ବୈଜ୍ଞାନିକ କହିଛନ୍ତି, ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ବ୍ୟକ୍ତିବିଶେଷ ସଂକ୍ରମଣର ଚେନ୍କୁ ଭାଙ୍ଗିବାରେ ସହାୟକ ହେବେ। ଫଳରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ କ୍ଷେତ୍ରରେ ସଂକ୍ରମଣ କମିବ ଏବଂ ଏହାଦ୍ବାରା ସଂକ୍ରମଣକୁ ମଧ୍ୟ ନିୟନ୍ତ୍ରଣ କରିହେବ। ପୂର୍ବରୁ ମିଳିମିଳା ଏବଂ ବସନ୍ତ ରୋଗ ନିୟନ୍ତ୍ରଣ କରିବାରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସଫଳ ହୋଇଛି; କିନ୍ତୁ କୋଭିଡ୍-୧୯କୁ ନିୟନ୍ତ୍ରଣ କରିବାରେ ଏହା କେତେଦୂର ଫଳପ୍ରଦ ତେବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ଦେଶରେ ୮୨ ପ୍ରତିଶତଙ୍କ ବୟସ ୫୦ ବର୍ଷରୁ କମ୍ ହୋଇଥିବାରୁ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଭାରତରେ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଉଛି।
ତେବେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଭାରତକୁ କିଭଳି ସାହାଯ୍ୟ କରିପାରିବ ସେନେଇ ପ୍ରଶ୍ନ ଉଠିଛି। ଆଇଆଇପିଏସ୍ (ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ପପୁଲେସନ୍ ସାଇନ୍ସେସ୍) ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଲକ୍ଡାଉନ୍ ନଥିଲେ ଦେଶରେ ଅତି ସାଂଘାତିକ ସ୍ଥିତି ଉପୁଜିଥାନ୍ତା। କିନ୍ତୁ ଲକ୍ଡାଉନ୍ ମଧ୍ୟ ଏକ ସମାଧାନ ନୁହେଁ। ସେଥିପାଇଁ ବିଶେଷଜ୍ଞମାନେ ଗୋଷ୍ଠୀ ପ୍ରତିରୋଧ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି, ଦେଶରେ କଟକଣା କୋହଳ କରିବା ସହ ଆମେ ଆମର ଯୁବ ଜନସଂଖ୍ୟାଙ୍କୁ ଏଥିପାଇଁ ବ୍ୟବହାର କରିପାରିବା। ଆମେ ଅଧିକ ସଂଖ୍ୟାରେ ଲୋକଙ୍କୁ ଏହି ହର୍ଡ ଇମ୍ୟୁନିଟି ବିକାଶ କରିବାପାଇଁ ଛାଡ଼ିପାରିବା। ଯଦି ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୁଏ ତେବେ ନଭେମ୍ବର ସୁଦ୍ଧା ଦେଶରେ ୬୦ ପ୍ରତିଶତ ଲୋକଙ୍କର ରୋଗ ସହ ଲଢ଼ିବାପାଇଁ ରୋଗ ପ୍ରତିରୋଧକ ଶକ୍ତି ଆସି ସାରିଥିବ ଏବଂ ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ରୋକି ପାରିବ। କିନ୍ତୁ କିଛି ବିଶେଷଜ୍ଞ ମଧ୍ୟ ଏହି ହର୍ଡ ଇମ୍ୟୁନିଟି ପ୍ରସ୍ତାବ ଭାରତ ପାଇଁ ଅଧିକ ବିପଦ ସାବ୍ୟସ୍ତ ହେବ ବୋଲି କହୁଛନ୍ତି। ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଇଁ ଏହା ଏକ ବଡ଼ ବିପଦ ହୋଇପାରେ। କାରଣ ସବୁ ଯୁବ ଭାରତୀୟ ରୋଗ ସହ ଲଢ଼ିବାପାଇଁ ସକ୍ଷମ ନୁହନ୍ତି। ଆରୋଗ୍ୟ ହେବାପରେ ମଧ୍ୟ ଜଣେ ବ୍ୟକ୍ତି ପୁନଃ ସଂକ୍ରମିତ ହେବେ କି ନାହିଁ ସେ ନେଇ ମଧ୍ୟ କୌଣସି ଗବେଷଣା ହୋଇନି।
ଅନ୍ୟପକ୍ଷରେ ଏକ ବୃହତ୍ ଭାଗ ଯୁବ ଭାରତୀୟ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଅର୍ଥାତ୍ ଦେଶରେ ୨୦ରୁ ୪୪ ବର୍ଷ ମଧ୍ୟରେ ପ୍ରାୟ ୨୨ ପ୍ରତିଶତ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ। ୧୫ରୁ ୪୪ ବର୍ଷ ମଧ୍ୟରେ ୪ ପ୍ରତିଶତ ନାଗରିକ ଟାଇପ୍ ୨ ଡାଇବେଟିସ୍ରେ ପୀଡ଼ିତ। ୨.୧ ନିୟୁତ ଏଚ୍ଆଇଭି ରୋଗୀଙ୍କ ମଧ୍ୟରୁ ୮୩ ପ୍ରତିଶତଙ୍କ ବୟସ ୧୫ରୁ ୪୫ ବର୍ଷ ମଧ୍ୟରେ। ସେହିପରି ୪.୨ ଏବଂ ୩ ପ୍ରତିଶତ ଯୁବପିଢ଼ି ଫୁସ୍ଫୁସ୍ ସଂକ୍ରାନ୍ତ ରୋଗ ଏବଂ ଶ୍ବାସରୋଗରେ ପୀଡ଼ିତ। ସହିପରି ଆମ ଜନସଂଖ୍ୟାର ଏକ ତୃତୀୟାଂଶ ଗୁଟ୍ଖା ସେବନ କରୁଛନ୍ତି। ତେଣୁ ଭାରତରେ ହର୍ଡ ଇମ୍ୟୁନିଟି ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟପକ୍ଷେ ଦେଶରେ ସ୍ବାସ୍ଥ୍ୟ ସେବା ପାଇଁ ଏହା ଖୁବ୍ ସମସ୍ୟା ସୃଷ୍ଟି କରିବ। ଦେଶରେ ୧୩୦ କୋଟି ଜନସଂଖ୍ୟା ଥିବାବେଳେ ପ୍ରତି ୧୦୦୦ ଲୋକଙ୍କ ପାଇଁ ୦.୫୫ ହସ୍ପିଟାଲ୍ ବେଡ୍ ଉପଲବ୍ଧ। ମାତ୍ର ୪୮ ହଜାର ଭେଣ୍ଟିଲେଟର ଉପଲବ୍ଧ। ତେଣୁ ସଂକ୍ରମଣ ହଠାତ୍ ବଢ଼ିଗଲେ ଚିକିତ୍ସାରେ ବାଧା ଉପୁଜିବ। କିନ୍ତୁ ସବୁ ସମସ୍ୟା ସତ୍ତ୍ବେ ହର୍ଡ୍ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଏବେ ଏକମାତ୍ର ସମାଧାନର ବାଟ ବୋଲି କିଛି ବିଶେଷଜ୍ଞ ଦୃଢ଼ ମତ ରଖିଛନ୍ତି।