ଚୀନ୍‌ ଭୂତାଣୁ ବିଶେଷଜ୍ଞଙ୍କ ଦାବି, ଉହାନ ବିଜ୍ଞାନାଗାରରେ ହିଁ କୋଭିଡ୍‌ର ସୃଷ୍ଟି

ନୂଆଦିଲ୍ଲୀ: ଚୀନ୍‌ର ଉହାନ ସ୍ଥିତ ବିଜ୍ଞାନାଗାରରେ ହିଁ ମହାମାରୀ କୋଭିଡ୍‌ ପାଇଁ ଦାୟୀ ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍-୨ ସୃଷ୍ଟି ହୋଇଛି ବୋଲି ଚୀନ୍‌ର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ଲି-ମେଙ୍ଗ ୟାନ୍‌ ଦାବି କରିଛନ୍ତି। ଏପରିକି ତାଙ୍କ ଦାବିର ଯଥାର୍ଥତା ପାଇଁ ତାଙ୍କ ପାଖରେ ବୈଜ୍ଞାନିକ ପ୍ରମାଣ ମହଜୁଦ ଅଛି ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଚୀନ ସାମରିକ ପ୍ରତିଷ୍ଠାନ ସିସି୪୫ ଏବଂ ଜେଡ୍‌ଏକ୍ସସି୪୧ ନାମକ ଦୁଇଟି ମାରାତ୍ମକ ଭୂତାଣୁ ଆବିଷ୍କାର କରିଥିଲା। ତାହାକୁ ଭିତ୍ତି କରି ଉହାନ ବିଜ୍ଞାନାଗାରରେ ଏହି ଅଭିନବ କରେନା ଭୂତାଣୁ ସୃଷ୍ଟି ହୋଇଥିଲା। ସୁତରାଂ ଚୀନର ମାଂସ ବଜାରରୁ ଏହି ଭୂତାଣୁ ଆସିଛି ବୋଲି କରାଯାଇଥିବା ପ୍ରଚାର ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ସମ୍ପର୍କରେ ଯାବତୀୟ ତଥ୍ୟ ଚୀନ ସରକାର ଅନ୍ୟମାନଙ୍କ ଠାରୁ ଗୋପନ ରଖିଥିଲେ ବୋଲି ଡା. ୟାନ୍‌ ପ୍ରଥମେ ପର୍ଦ୍ଦାଫାସ କରିଥିଲେ। ପରିଣତି ସ୍ବରୂପ ନିଜର ସୁରକ୍ଷା ପାଇଁ ସେ ଆମେରିକା ପଳାଇ ଆସିବାକିୁ ବାଧ୍ୟ ହୋଇଥିଲେ।

ଗତ ୧୧ ତାରିଖରେ ଏକ ଗୁପ୍ତ ସ୍ଥାନରୁ ବ୍ରିଟିସ୍‌ ଧାରାବାହିକ ‘ଲୁଜ୍‌ ଓମେନ୍‌’ ପାଇଁ ଦେଇଥିବା ସାକ୍ଷାତକାରରେ ଡା. ୟାନ୍‌ ଆହୁରି କହିଛନ୍ତି ଯେ ସେ ହଂକଂରେ କାମ କରୁଥିବା ବେଳେ ଗତବର୍ଷ ଡିସେମ୍ବର ଓ ଚଳିତବର୍ଷ ଜାନୁଆରିରେ ଚୀନ୍‌ର ମୁଖ୍ୟ ସ୍ଥଳଭାଗରେ ଦେଖାଦେଇଥିବା ନୂଆ ପ୍ରକାରର ନିମୋନିଆ ସମ୍ପର୍କରେ ସେ ଗବେଷଣା କରିଥିଲେ। ସେଥିରୁ ମିଳିଥିବା ଯାବତୀୟ ଫଳାଫଳକୁ ସେ ତାଙ୍କ ବରିଷ୍ଠ ଅଧିକାରୀ ତଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିରୀକ୍ଷକ ଥିବା ଚୀନର ଜଣେ ବିଶେଷଜ୍ଞଙ୍କୁ ଜଣାଇଥିଲେ। ବିଶ୍ବର କଲ୍ୟାଣ ପାଇଁ ସଂପୃକ୍ତ ଅଧିକାରୀ ଜଣକ ଠିକଣା ପଦକ୍ଷେପ ନେବେ ବୋଲି ଡା. ୟାନ୍‌ ଆଶା କରିଥିଲେ। ମାତ୍ର ଏ ସମ୍ପର୍କରେ ୟାନ୍‌ଙ୍କୁ ନିରବ ରହିବା ପାଇଁ କୁହାଯିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହା ଏକ ସାଂଘାତିକ ସଂକ୍ରାମକ ହୋଇଥିବାରୁ ଏବଂ ଚୀନୀ ନୂଆବର୍ଷ ବେଳେ ଭୀଷଣ ମାତ୍ରାରେ ପଣ୍ୟ ପରିବହନ ହେଉଥିବାରୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସେ ଆଉ ନିରବ ରହିବାକୁ ପସନ୍ଦ କରିନଥିଲେ। ତେଣୁ ସେ ଜାନୁଆରି ୧୭ରେ ଆମେରିକାରେ ପରିଚାଳିତ ଏକ ଚୀନୀ ୟୁଟ୍ୟୁବ୍‌ ଜରିଆରେ ସବୁ କଥା ପ୍ରଘଟ କରିଦେଇଥିଲେ।

ସମ୍ବନ୍ଧିତ ଖବର