କରୋନା ଭାଇରସ: ଭାରତ-ଆମେରିକା ତତ୍ପର, ଜାପାନ ନିୟୋଜିତ କଲା ସେନା

ବେଜିଂ/ନୂଆଦିଲ୍ଲୀ/ଟୋକିଓ: ଚୀନ୍‌ରେ ବ୍ୟାପୁଥିବା କରୋନା ଭାଇରସ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଛି। ଚୀନ୍‌ ସମେତ ୨୪ଟି ରାଷ୍ଟ୍ରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮ ହଜାର ଅତିକ୍ରମ କରିଗଲାଣି। କରୋନାର ମୁକାବିଲା ପାଇଁ ଭାରତ ଏବଂ ଆମେରିକାରେ ବିଶେଷ ତତ୍ପରତା ଦେଖିବାକୁ ମିଳିଥିବା ବେଳେ ଜାପାନ ଏବେ ସେନା ବାହିନୀକୁ ଏଥିପାଇଁ ନିୟୋଜିତ କରିଛି। ଜାପାନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୯୦ରେ ପହଞ୍ଚିଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରୁଛନ୍ତି। ଏହା ସହିତ ଭାରତ ସରକାର ମଧ୍ୟ କରୋନାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି। ଭାରତରେ ଚୀନ୍‌ ଏବଂ ଚୀନ୍‌ରୁ ଫେରିଥିବା ଅନ୍ୟ ରାଷ୍ଟ୍ରର ନାଗରିକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭାରତର ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ବ୍ୟାପକ ଯାଞ୍ଚ ବ୍ୟବସ୍ଥା କରାଯାଇଥିବା ବେଳେ ଦେଶରେ ଥିବା ସମସ୍ତ କରୋନା ସନ୍ଦିଗ୍ଧଙ୍କୁ ପୃଥକ ବ୍ୟବସ୍ଥାରେ ରଖାଯାଇଛି। ୧୫ ଜାନୁଆରୀ, ୨୦୨୦ କିମ୍ବା ଏହା ପରେ ଯେଉଁ ବିଦେଶୀ ନାଗରିକମାନେ ଚୀନ୍‌ ଯାତ୍ରା କରିଥିବେ ସେମାନଙ୍କୁ ଭାରତରେ ଆଉ ପ୍ରବେଶ ଅନୁମତି ମିଳିବ ନାହିଁ। ଏଭଳି ଯାତ୍ରୀମାନେ ଆକାଶ, ସଡ଼କ ଏବଂ ଜଳପଥରେ ଭାରତ ଆସିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ନେପାଳ, ଭୁଟାନ, ବାଂଲାଦେଶ ଏବଂ ମିଆଁମ୍ୟାର ବୋର୍ଡର ମଧ୍ୟ ସାମିଲ ଅଛି। ସେହିଭଳି ଆମେରିକାର ସମସ୍ତ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ଏବଂ ଚୀନ୍‌ ଫେରନ୍ତା ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ବ୍ୟାପକ କଟକଣା ଲାଗୁ ହୋ‌ଇଛି।

ହଂକଂରୁ ଜାପାନର ୟେକୋହାମାରେ ପହଞ୍ଚିଥିବା ଏକ ଜାହାଜରେ ମୋଟ ୩୭୦୦ ଯାତ୍ରୀଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କ ମଧ୍ୟରେ ୧୩୮ ଭାରତୀୟ ଅଛନ୍ତି। ଏହି ଜାହାଜରେ ୩ ଦିନ ଭିତରେ ୬୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜାହଜାରୁ ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ପୃଥକ୍‌ ବ୍ୟବସ୍ଥାରେ ରଖିବା ପାଇଁ ସେନାର ସହାୟତା ନିଆଯାଇଛି।

ସମ୍ବନ୍ଧିତ ଖବର