ନୂଆଦିଲ୍ଲୀ/ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ରେ ସଂକ୍ରମଣ ଘଟଣା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଆଉ ୫ଜଣ କରୋନାଭାଇରସ୍ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ମିଶାଇଲେ ରାଜ୍ୟରେ କୋଭିଡ-୧୯ ପୀଡିତଙ୍କ ସଂଖ୍ୟା ୩୮ରେ ପହଞ୍ଚି ଯାଇଛି। ଏଥିମଧ୍ୟରୁ ମୁମ୍ବାଇର ତିନିଜଣ, ନଭି ମୁମ୍ବାଇର ଜଣେ ଓ ୟମତମାଳରେ ଜଣେ କରୋନାରେ ପୀଡିତ ଥିବା ଜଣାପଡ଼ିଛି। ଏସବୁ ଘଟଣାକୁ ମିଶାଇଲେ ଭାରତରେ କରୋନାଭାଇରସ୍ ପଜିଟିଭ୍ ସଂଖ୍ୟା ୧୧୬ରେ ପହଞ୍ଚି ଯାଇଛି।
କରୋନାର ସବୁଠାରୁ ଅଧିକ ଘଟଣା ଏଯାବତ ପୁଣେରୁ ସାମ୍ନାକୁ ଆସିଥିବା ବେଳେ ଧୀରେଧୀରେ ମୁମ୍ବାଇରେ ବି କରୋନାଭାଇରସ୍ର ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିକୁ ଦେଖି ମହାରାଷ୍ଟ୍ର ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି। ପୂର୍ବରୁ ମୁମ୍ବାଇ ପୁଲିସ ଧାରା ୧୪୪ ଲାଗୁ କରି ଗ୍ରୁପ୍ ଟୁର ଉପରେ କଟକଣା ଜାରି କରିଥିଲା। କେବଳ ଏତିକି ନୁହେଁ ସିନେମା ଓ ଟେଲିଭିଜନ୍ ସୁଟିଂ ବନ୍ଦ କରିବାର ନିଷ୍ପତ୍ତି ବି ନିଆଯାଇଛି।

ମହାରାଷ୍ଟ୍ରରେ କରୋନାର ୩୮ଜଣ ସଂକ୍ରମିତ ଥିବା ଜଣାପଡ଼ିଥିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫୋନ୍ କରି ପରିସ୍ଥିତି ବିଷୟରେ ଆଲୋଚନା କରି କରିଥିଲେ। ପ୍ରଧାନମନ୍ତ୍ରୀ କରୋନାର ମୁକାବିଲା ପାଇଁ ମହାରାଷ୍ଟ୍ରକୁ ଯଥା ସମ୍ଭବ ସାହାଯ୍ୟ କରିବାର ପ୍ରତିଶ୍ରୁତି ବି ଦେଇଛନ୍ତି।