କୋରାନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ୮ଟି ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମାହଲ୍ ଓ ସପିଂମଲ୍ ବନ୍ଦ

ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ମଧ୍ୟପ୍ରଦେଶ ଓ ଜମ୍ମୁକଶ୍ମୀରରେ କଟକଣା ଜାରି

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବ୍ୟାପୁ ଥିବା କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ସମଗ୍ର ଦେଶ ତତ୍ପର ହୋଇ ଉଠିଛି । ରାଜ୍ୟମାନେ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।  ଦିଲ୍ଲୀ ପରେ ଏବେ ଓଡ଼ିଶା ସମେତ ୮ଟି ରାଜ୍ୟ କରୋନା ସଂକ୍ରମଣକୁ ରୋକିବାକୁ ଜନଗହଳି ହେଉଥିବା ସ୍ଥାନ ଓ ପ୍ରତିଷ୍ଠାନକୁ ବନ୍ଦ କରିଛନ୍ତି। ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ମଧ୍ୟପ୍ରଦେଶ ଓ ଜମ୍ମୁକଶ୍ମୀର ଆଦି ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମାହଲ୍, ସପିଂମଲ୍ ଓ ଅନ୍ୟ ଜନସମାଗମସ୍ଥଳୀକୁ ବନ୍ଦ କରାଯାଇଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏମ୍‌ ୟେଦୁରପ୍ପାଙ୍କ କହିବାନୁସାରେ, କର୍ଣ୍ଣାଟକରେ ଗୋଟିଏ ସପ୍ତାହ ପାଇଁ ସମସ୍ତ ମଲ, ଥିଏଟର, ପବ, କ୍ଳବ, ପ୍ରଦର୍ଶନ, ସମର କ୍ୟାମ୍ପ, ସୁଇମିଂ ପୁଲ, ଖେଳ କାର୍ଯ୍ୟକ୍ରମ, ବିବାହ, ସମ୍ମିଳନୀ ଆଦିକୁ ବନ୍ଦ କରି ଦିଆଯାଇଛି। ଏଭଳି ପରିସ୍ଥତିରେ ଯାତ୍ରୀମାନେ ଯାତ୍ରା କରିବା ଉଚିତ ନୁହେଁ। ତେବେ  ଯେଉଁ ଯାତ୍ରୀଙ୍କ ଯାତ୍ରା କରିବା ବାଧ୍ୟତାମୂଳକ ରହିଥିବ ସେମାନେ ସମ୍ପୂର୍ଣ୍ଣ ସଚେତନତା ଅବଲମ୍ବନ କରି ବାହାରକୁ ବାହାରନ୍ତୁ। ଏଥିସହିତ ଗୋଟିଏ ସପ୍ତାହ ପାଇଁ  ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି ବୋଲି ୟେଦୁରପ୍ପା କହିଛନ୍ତି।

Image result for corona-virus-karnataka-cm-bs-yeddyurappa-malls-theater close
AajTak

କର୍ଣ୍ଣାଟକର କଳବୁର୍ଗୀରେ ଗତ ଗୁରୁବାର ଏହି ମାରାତ୍ମକ ଭାଇରସ୍‌ ସଂକ୍ରମଣରେ ଜଣଙ୍କ ଜୀବନ ଚାଲି ଯାଇଥିଲା। ସେ ନିକଟରେ ସାଉଦୀ ଆରବରୁ ଫେରିଥିଲେ। ଏହି ବୃଦ୍ଧ ଜଣକ ୩୧ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହି ୩୧ଜଣଙ୍କ ପରିଚୟ ଖୋଜା ଚାଲିଛି। ସମସ୍ତଙ୍କ ପରିଚୟ ମିଳିବା ପରେ ସେମାନଙ୍କ ଯାଞ୍ଚ କରାଯିବ। କର୍ଣ୍ଣାଟକରେ ଏଯାବତ୍ ଏହି ଭାଇରସ୍‌ରେ ସଂକ୍ରମଣ ହୋଇଥିବା ୬ଟି ମାମଲା ସାମ୍ନାକୁ ଆସିଛି। ୬ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କୁ ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଛି।

କର୍ଣ୍ଣାଟକ ପୂର୍ବରୁ ଉତ୍ତରପ୍ରଦେଶରେ କରୋନାଭାଇରସ୍‌କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସମସ୍ତ ସ୍କୁଲ-କଲେଜକୁ ବନ୍ଦ କରି ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ସେହିପରି  ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ହରିୟାଣା ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏତିକି ନୁହେଁ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ସିନେମାଘର, ଥିଏଟର ଓ ଜିମ୍‌କୁ ବି କରୋନାଭାଇରସ୍‌ର ମୁକାବିଲା ପାଇଁ ବନ୍ଦ କରି ଦିଆଯାଇଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ଘୋଷଣା କରିଛନ୍ତି।

ସେହିପରି ଜମ୍ମୁକଶ୍ମୀରରେ ମଧ୍ୟ ଶିକ୍ଷାନୁଷ୍ଠାନ, ସପିଂମଲ୍, ସିନେମା ଥିଏଟର, ଜିମ୍, ସୁଇମିଂପୁଲ୍ ଆଦି ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର