ନୂଆଦିଲ୍ଲୀ : କରୋନାଭାଇରସ୍ ରୋଗର ଶେଷ ନାହିଁ। ଏହି ଭାଇରସ୍ ସାମୟିକ ଭାବେ ଆଶ୍ବସ୍ତି ଦେଇପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ନାଶ ହୋଇପାରିବ ନାହିଁ। ପ୍ରତିବର୍ଷ ଏହି ଭାଇରସ୍ ଫେରିପାରେ ବୋଲି ଚୀନ୍ର ବୈଜ୍ଞାନିକମାନେ କହିଛନ୍ତି। ଚୀନ୍ର କିଛି ଶୀର୍ଷ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସାର୍ସ-ସିଓଭି-୨ ଭାଇରସ୍ ଯାହା କରୋନା ରୋଗର କାରଣ କେବେ ବି ନାଶ ହୋଇପାରିବ ନାହିଁ। ଏହା ଋତୁକାଳୀନ ସଂକ୍ରମଣ ଭଳି ପ୍ରତିବର୍ଷ ଆସିପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଆକଳନ ଅନୁଯାୟୀ ଋତୁକାଳୀନ ସଂକ୍ରମଣ ପାଇଁ ବିଶ୍ବରେ ପ୍ରତିବର୍ଷ ୩ ଲକ୍ଷରୁ ୬ ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଚୀନ୍ର ସର୍ବୋଚ୍ଚ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ, ଚାଇନିଜ୍ ଏକାଡେମୀ ଅଫ୍ ପାଥୋଜେନ୍ ବାୟୋଲୋଜି ଇନଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଜିନ୍ କୀ କହିଛନ୍ତି, ଏହି ମହାମାରୀ ଅନେକ ସମୟ ଧରି ମାନବଜାତି ସହ ରହିବାର ସମ୍ଭାବନା ରହିଛି। ଏହା ଋତୁକାଳୀନ ହୋଇଯିବ ଏବଂ ମଣିଷ ଶରୀରରେ ଅନେକ ଦିନ ରହିବ। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ ନିର୍ଦ୍ଦେଶକ ଆନ୍ଥୋନି ଫସିଙ୍କ ସମେତ ଅନେକ ବୈଜ୍ଞାନିକ କହିଛନ୍ତି ଯେ, ନୂଆ କରୋନାଭାଇରସ୍ ପୁଣିଥରେ ଶୀତ ଋତୁରେ ଭୟଙ୍କର ଭାବେ ବଢ଼ିବ। ଋତୁକାଳୀନ ସଂକ୍ରମଣ ପରି ଏହା ଶୀତ ଋତୁରେ ପୁଣି ଫେରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେହିପରି ଭାରତରେ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ଭାଇରସ୍ ଅନେକ ଦିନ ଧରି ରହିବ। ଭାଇରସ୍ ବ୍ୟାପିବାର ଭୟ ଅଧିକ ରହିଥିବାରୁ ଏବଂ ଅଧିକାଂଶ କ୍ଷେତ୍ରରେ ସଂକ୍ରମଣର ଲକ୍ଷଣ ନଥିବାରୁ ଏବଂ କମ୍ ସଂକ୍ରମଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିହେଉନି। ଫଳରେ ସଂକ୍ରମଣ ଅଧିକ ବଢ଼ୁଛି। ସଂକ୍ରମଣ ଲକ୍ଷଣ ନଥିବା ରୋଗୀଙ୍କଠାରୁ ଭାଇରସ୍ ବ୍ୟାପିଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟଦାୟକ ହୋଇଯିବ। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଉପକରଣ ବ୍ୟବହାର କରିବାକୁ ପଡ଼ିବ ଯାହା କି ଅନେକ ଦିନ ଧରି ବଜାୟ ରଖିବା ଖୁବ୍ କଷ୍ଟଦାୟକ ହୋଇଯିବ ବୋଲି ଗାନ୍ଧୀନଗର, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥର ନିର୍ଦ୍ଦେଶକ ଡ. ଦିଲ୍ଲୀପ ମବଲଙ୍କର କହିଛନ୍ତି। ଲକ୍ଷଣର ପ୍ରଥମ ସପ୍ତାହରେ କୋଭିଡ-୧୯ ରୋଗୀମାନେ ଅଧିକ ସଂକ୍ରାମକ ହୋଇଥାନ୍ତି। ତେବେ ଏମାନଙ୍କ ଦ୍ବାରା ବ୍ୟାପୁଥିବା ସଂକ୍ରମଣରୁ ୪୦ ପ୍ରତିଶତ ପ୍ରକୃତରେ ଅସୁସ୍ଥ ନଥାନ୍ତି। ଏପ୍ରିଲ ୧୫ରେ ନେଚର୍ ମେଡିସିନ୍ରେ ପ୍ରକାଶିତ ଏକ ଅଧ୍ୟୟନରେ ସାର୍ସ-ସିଓଭି ୨ ସାର୍ସ୍-ସିଓଭିଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ସାରସରେ, କେବଳ ଫୁସଫୁସ ସଂକ୍ରମଣ ହୋଇଥିଲା ଏବଂ ସଂକ୍ରମିତ ବ୍ୟକ୍ତି କାଶ ହେବାବେଳେ ଏହା ବିସ୍ତାର ହୋଇପାରେ, କିନ୍ତୁ ସାରସ୍-ସିଓଭି-୨ କ୍ଷେତ୍ରରେ, ଶ୍ବାସନଳୀର ଉପରି ଅଂଶରେ ସଂକ୍ରମଣ ଆରମ୍ଭ ହୁଏ ତେଣୁ ଆପଣ କଥା ହେବାବେଳେ ମଧ୍ୟ ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରିବେ। ଏହି ଜୀବାଣୁ ନାସୋଫାର୍ଜିଙ୍ଗ୍ ଫ୍ଲୁଇଡ୍ ରେ ଥାଏ, ଯାହା ଲାଳ ସହିତ ମିଶିଥାଏ, ତେଣୁ ଗୀତ ଗାଇବା, କହିବା କିମ୍ବା ପାଟି କରିବା ସମୟରେ ମଧ୍ୟ ସଂକ୍ରମଣ ବ୍ୟାପେ । ଏହି ରୋଗରେ ନୀରବ ସଂକ୍ରମଣ ସାଧାରଣ ଅଟେ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକ ଅତି ସହଜରେ କରୋନା ସଂକ୍ରମିତ ହୋଇଥାନ୍ତି। ତେବେ ଯଦି କରୋନା ପାଇଁ ଟିକା ଆସେ ତାହାଲେ ଆମେ ଏହାକୁ ମୂଳରୁ ନାଶ କରିପାରିବା ବୋଲି ଆଇସିଏମ୍ଆରର ଜଣେ ଡାକ୍ତର ଲଳିତ କାନ୍ତ କହିଛନ୍ତି। ବିଶ୍ବବ୍ୟାପୀ ବିଭିନ୍ନ ଦେଶମାନଙ୍କରେ ନଭେମ୍ବର ବେଳକୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେବ ବୋଲି କୁହାଯାଉଛି।
କରୋନା ଭୂତାଣୁର ଶେଷ ନାହିଁ, ପ୍ରତି ବର୍ଷ ଫେରିପାରେ
/sambad/media/post_attachments/wp-content/uploads/2020/04/corona-8-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)