ୱାସିଂଟନ୍ : ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ତେବେ ଅନ୍ୟ ଦେଶ ତୁଳନାରେ ଆମେରିକାରେ ସବୁଠୁ ଅଧିକ କରୋନା ପରୀକ୍ଷା କରାଯାଉଛି। କିନ୍ତୁ ଆମେରିକାରେ ବୈଜ୍ଞାନିକମାନେ ଦେଇଥିବା ଏକ ନୂଆ ଚେତାବନୀ ଚିନ୍ତା ବଢ଼ାଇଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଅଧିକାଂଶ ଲୋକଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ସେମାନଙ୍କ ଶରୀରରେ ଭାଇରସ୍ ରହିଥିବା ସମ୍ଭାବନା ରହୁଛି। ବିଶ୍ବବ୍ୟାପୀ ଯେତେ ଟେଷ୍ଟ୍ କରାଯାଉଛି ଅଧିକାଂଶ ଟେଷ୍ଟ୍ ପିସିଆର ନାମକ ଏକ ଟେକ୍ନୋଲୋଜି ବ୍ୟବହାର କରି ହେଉଛି। ଏହା ମ୍ୟୁକସ୍ ସାମ୍ପଲ୍ରୁ କରୋନାଭାଇରସ୍କୁ ଚିହ୍ନଟ କରୁଛି। କିନ୍ତୁ ଆମେରିକାରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ କହିଛନ୍ତି, ବେଳେବେଳେ ଟେଷ୍ଟ୍ରୁ ଭାଇରସ୍ ଥିବା ଜଣାପଡ଼ୁନି। ଜଣେ ବ୍ୟକ୍ତି କାଶିବା ଛିଙ୍କିବା ସମୟରେ କେତେ ପରିମାଣରେ ଭାଇରସ୍ ନିର୍ଗତ କରୁଛନ୍ତି ଏବଂ ଟେଷ୍ଟ୍ ପାଇଁ ନମୁନା କିଭଳି ସଂଗ୍ରହ କରାଯାଉଛି ତା ଉପରେ ଟେଷ୍ଟ୍ ରିପୋର୍ଟର ଫଳାଫଳ ନିର୍ଭର କରୁଛି। ବିଭିନ୍ନ କମ୍ପାନିଗୁଡ଼ିକ ଭିନ୍ନ ଭିନ୍ନ ଟେଷ୍ଟ୍ ଉପାୟ ଆରମ୍ଭ କରୁଛନ୍ତି। କିନ୍ତୁ ବାସ୍ତବରେ ସବୁ ଟେଷ୍ଟ୍ ରିପୋର୍ଟ ଗୁଡ଼ିକ ଠିକ୍ କି ନା’ ସେନେଇ ଚିନ୍ତା ବଢ଼ିଛି। ଏକ ଆକଳନରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ସଂକ୍ରମଣ ମେ’ ମଧ୍ୟଭାଗରେ ୫୦ ପ୍ରତିଶତ ଅଧିକ ବଢ଼ି ଯାଇଥିବ। ୪୦ ନିୟୁତ ଲୋକଙ୍କ କ୍ଷେତ୍ରରେ ଯଦି ଏକ ପ୍ରତିଶତ ଜନସଂଖ୍ୟାଙ୍କର କରୋନା ପରୀକ୍ଷା କରାଯାଏ ତେବେ ୨୦,୦୦୦ ଭୁଲ୍ ନେଗେଟିଭ୍ ଫଳ ଆସିବ ବୋଲି ଅନୁମାନ କରାଯାଉଛି। ଏହାଦ୍ବାରା ରୋଗ ଚିହ୍ନଟ କରିବା ଅଧିକ କଷ୍ଟଦାୟକ ହୋଇଯିବ। ଯଦି ସଠିକ୍ ଉପାୟରେ ନମୁନା ସଂଗ୍ରହ ହୋଇନଥିବ ତେବେ ଟେଷ୍ଟ୍ ନେଗେଟିଭ୍ ଆସିବାର ଭୟ ରହିଛି। ବେଳେବେଳେ ସଠିକ୍ ଉପାୟରେ ସ୍ବାବ୍ ସଂଗ୍ରହ ହୋଇ ମଧ୍ୟ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସେ। ଏହାର କାରଣ ହେଉଛି ଭାଇରସ୍ ଶ୍ବାସନଳୀର ଉପରି ଭାଗରୁ ତଳ ଭାଗକୁ ଅତିକ୍ରମ କରିଥାଏ। ଏସବୁ କ୍ଷେତ୍ରରେ ଡାକ୍ତରଙ୍କୁ ସଠିକ୍ ଭାବେ ନମୁନା ସଂଗ୍ରହ କରିବାକୁ ପଡ଼ିଥାଏ। ଆମେରିକାରେ ଜଣେ ରୋଗୀଙ୍କ ଶରୀରରେ କରୋନାର ସମସ୍ତ ଲକ୍ଷଣ ଥାଇ ବି ୩ ଥର ତାଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିଲା।। ଶେଷରେ ମେଡିକାଲ ଟିମ୍ କ୍ୟାମେରା ଦ୍ବାରା ରୋଗୀର ଫୁସ୍ଫୁସ୍ର ଫଟୋ ଉଠାଇଥିଲେ ଏବଂ ଏଠାରୁ ନମୁନା ଆଣି ପରୀକ୍ଷା କରିବାପରେ ଭାଇରସ୍ ପଜିଟିଭ୍ ଆସିଥିଲା। ଏହି ଉଦାହରଣରୁ ଜଣାପଡ଼ିଯାଉଛି ସବୁ ଟେଷ୍ଟ୍ ରିପୋର୍ଟ ଠିକ୍ ନୁହେଁ।