ୱାସିଂଟନ : ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି । ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ । ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ । ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସତ୍କାର ଦାୟିତ୍ୱରେ ଥିବା ଜଣେ ଅଧିକାରୀ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାର ସବୁଠୁ ଆଭିଜାତ୍ୟ ସଂପନ୍ନ ସହର କୁହାଯାଉଥିବା ନ୍ୟୁୟର୍କ ଏବେ ଯେମିତି ଏକ ସ୍ମଶାନ ପାଲଟି ଯାଇଛି। ହସ୍ପିଟାଲର ଶବଗୃହରେ ସ୍ଥାନ ନାହିଁ, ଶ୍ମଶାନର ଚାରିଆଡେ କେବଳ ଶବ ହିଁ ଶବ। ଏମିତି କି ଗାଡ଼ିରେ ବୋଝେଇ ହୋଇ ଆସୁଛି ଶହ ଶହ ଶବ । ଏତେ ସଂଖ୍ୟକ ଶବ ଆସି ଶ୍ମଶାନ ପହଂଚୁଛି ଯେ, ଶବ ସତ୍କାର କରିବା ବି ସଂଭବ ହେଉନି । କରୋନା ଯୋଗୁଁ ପ୍ରତି ୨ ମିନିଟରେ ଜଣଙ୍କର ମୃତ୍ୟୁ ହେଉଛି । ନ୍ୟୁୟର୍କ ସହରରେ ପ୍ରତିଦିନ ଯେତେ ଲୋକଙ୍କ ମୃତ୍ୟୁ ହୁଏ, ତାହା ଆଜିର ଦିନରେ ୪ ଗୁଣା ବଢ଼ିଯାଇଛି । ପ୍ରତିଦିନ ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। କରୋନା ଯୋଗୁଁ ଏତେ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରୁଛନ୍ତି ଯେ, ସେମାନଙ୍କ ସଂସ୍କାର କରିବା ସଂଭବ ହେବନି । ବାଧ୍ୟ ହୋଇ ଶବ ଗୁଡ଼ିକୁ ଅନ୍ୟ ସହରକୁ ନେଇଯିବା ପାଇଁ ଅନୁରୋଧ କରାଯାଉଛି ।
ଏପରିକି ଅନେକ ଲୋକ ଘର ଅଗଣାରେ, ହସ୍ପିଟାଲ ଅଗଣାରେ ମୃତଦେହକୁ ପୋତି ଦେଉଛନ୍ତି । ଫ୍ୟୁନେରାଲ୍ ଡାଇରେକ୍ଟର ବା ଶବ ସତ୍କାର ଦାୟିତ୍ୱରେ ଥିବା ନିର୍ଦ୍ଦେଶକ କୌଣସି ଉପାୟ ନ ପାଇ ସହରରୁ ପ୍ରାୟ ୩ଶହ କିଲୋମିଟର ଦୂରରେ ଏକ ଅସ୍ଥାୟୀ ଶ୍ମଶାନର ବ୍ୟବସ୍ଥା କରିଛନ୍ତି। ଯାହା ଫଳରେ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରାଯାଇପାରିବ । ସ୍ଥିତି ଏମିତି ହୋଇଛି ଯେ, ଶବ ଘୋଡେଇ ରଖିବା ପାଇଁ ଆବଶ୍ୟକ ହେଉଥିବା କପଡ଼ା କିମ୍ବା ପଲିଥିନ୍ ମଧ୍ୟ ସଂକଟ ପଡ଼ିଛି । ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, ଶବ ସତ୍କାର ଅପେକ୍ଷା ଲୋକଙ୍କ ମୃତ୍ୟୁ ଆହୁରି ଦ୍ରୁତବେଗରେ ହେଉଛି । ଅର୍ଥାତ୍ ଗୋଟିଏ ଶବର ସତ୍କାର ହେବା ପୂର୍ବରୁ ଆଉ ଗୋଟିଏ ଶବ ସତ୍କାର ପାଇଁ ପହଂଚିଯାଉଛି ।
ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଶବ ସତ୍କାର କରିବା ପାଇଁ ଯେତିକି ଲୋକ ନିୟୋଜିତ ହୋଇଛନ୍ତି, ତାଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟ ହିଁ ବୟାନ କରୁଛି, ଆମେରିକାର ନ୍ୟୁୟର୍କ ସହରରେ ମୃତ୍ୟୁର ତାଣ୍ଡବ ଯେଉଁ ରୁପ ନେଉଛି । ଇଟାଲୀର ମୃତ୍ୟୁ ଉପତ୍ୟକାର ପୁରନାବୃତି ଆମେରିକାର ନ୍ୟୁୟର୍କ ସହରରେ ଏବେ ଦେଖିବାକୁ ମିଳୁଛି । ଚାରିଆଡେ ହାହାକାର । ହେଲେ ଲୋକ ବି ନାଚାର । କାରଣ, ଲୋକଙ୍କ ଜୀବନ ଏମିତି ଶତ୍ରୁ ଜୀବନ ନେଉଛି ଯାହାର ସିଧାସଳଖ ମୁକାବିଲା କରିବା ପାଇଁ କାହା ପାଖରେ ଉପଚାର ନାହିଁ।