କରୋନା ଭାଇରସରେ ଉହାନ ହସପିଟାଲର ନିର୍ଦ୍ଦେଶକ ମୃତ, ମୋଟ ମୃତ୍ୟୁସଂଖ୍ୟା ୧୮୬୮ ଛୁଇଁଲା

ନୂଆଦିଲ୍ଲୀ : କରୋନା ଭାଇରସ ଧୀରେ ଧୀରେ ଚୀନକୁ ଗ୍ରାସିବାକୁ ବସିଲାଣି । ଚୀନ ସରକାରଙ୍କ ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୧୮୬୮ରେ ପହଞ୍ଚିଥିବାବେଳେ ପ୍ରାୟ ୭୨,୪୩୬ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । କେବଳ ହୁବେଇ ପ୍ରଦେଶରେ ଆଉ ୯୩ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଆହୁରି ଚିନ୍ତାଜନକ କଥା ହେଉଛି ଯେ ଚୀନରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହା ଫଳରେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି । ଏହି ଭୁତାଣୁ ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହରରେ ଥିବା ଉହାନ ହସପିଟାଲର ନିର୍ଦ୍ଦେଶକ ଲି ଝିମିଂ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଆଉ କେତେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଜାପାନ ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଆଉ ୮୮ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହା ଫଳରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୪୨ରେ ପହଞ୍ଚିଛି । ଏହା ମଧ୍ୟରେ ୬ ଜଣ ଭାରତୀୟ ଅଛନ୍ତି । ଏହି ଜାହାଜରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି । ଆମେରିକା ଓ ଅଷ୍ଟ୍ରେଲିଆ ଏହି ଜାହାଜରୁ ନିଜ ନାଗରିକମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର