କରୋନାଭାଇରସ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ଭାରତୀୟ ନର୍ସଙ୍କଠାରେ ଏହି ଭାଇରସ ଚିହ୍ନଟ

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନାଭାଇରସ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଦେଶର ବିଭିନ୍ନ ବିମାନବନ୍ଦରରେ ୬୦ଟି ବିମାନରେ ଆସିଥିବା ପ୍ରାୟ ୧୨,୮୨୮ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସାଉଦି ଆରବରେ କାର୍ଯ୍ୟ କରୁଥିବା କେରଳର ଜଣେ ନର୍ସଙ୍କ ଠାରେ ଏହି ଭାଇରସ ଚିହ୍ନଟ ହୋଇଛି । ସଂପୃକ୍ତ ନର୍ସଙ୍କୁ ଉପଯୁକ୍ତ ଚିକିତ୍ସା ଯେପରି ମିଳିପାରିବ ସେନେଇ ବ୍ୟବସ୍ଥା କରିବାକୁ କେରଳ ମୁଖ୍ୟମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଜରିଆରେ ସାଉଦି ସରକାରଙ୍କୁ ଅନୁରୋଧ କରିଛନ୍ତି । କେରଳର କୋଟ୍ଟାୟାମ ଜିଲ୍ଲାରୁ ଆସୁଥିବା ଏହି ନିର୍ସ ରିଆଦର ଅଲ ହୟାତ ଡାକ୍ତରଖାନାରେ କାର୍ଯ୍ୟକରନ୍ତି ।

ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ଚୀନରେ ପ୍ରାୟ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି । ଚୀନର ଶିକ୍ଷାନଗରୀ ଉହାନରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଅଧିକାଂଶ ମୃତ୍ୟୁ ଏହି ସହରରେ ହିଁ ହୋଇଛି । ଏହି ସହରରେ ହିଁ ପ୍ରାୟ ୫୦୦ ଭାରତୀୟ ଛାତ୍ରଛାତ୍ରୀ ରହି ପାଠପଢୁଛନ୍ତି । ଚୀନରେ ଏବେ ଚୀନ ନୂଆବର୍ଷ ଉପଲକ୍ଷେ ଛୁଟି ଥିବାରୁ ଭାରତୀୟ ଛାତ୍ରଛାତ୍ରୀମାନେ ଭାରତକୁ ଫେରୁଛନ୍ତି । ତେବେ ସେମାନେ ସଂକ୍ରମିତ ହୋଇଥିବା ସରକାର ସଂଦେହ କରାଯାଉଛି । ଏହା ଫଳରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ଚୀନଯାଉଥିବା ଭାରତୀୟ ଯାତ୍ରୀମାନଙ୍କୁ ସରକାର ସତର୍କ କରାଇଦେଇଛନ୍ତି । ଚୀନ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଏହି ପରାମର୍ଶରେ କୁହାଯାଇଛି ।

ସମ୍ବନ୍ଧିତ ଖବର