ଭୋଟ୍‌ ପ୍ରକ୍ରିୟାକୁ ବଦଳାଇଦେବ କରୋନା! ଆଗକୁ ବିହାର ନିର୍ବାଚନ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମହାମାରୀ କୋଭିଡ୍‌-୧୯ର ପ୍ରାଦୁର୍ଭାବ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରିଦେଇଛି। ନିକଟ ଭବିଷ୍ୟତରେ ଏହି କରୋନାଭୂତାଣୁର ଭୟାବହତା କମିବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ବିଶ୍ବର ସର୍ବାଧିକ ମତଦାତାଙ୍କୁ ବହନ କରୁଥିବା ଭାରତ ପରି ଗଣତନ୍ତ୍ରରେ ନିର୍ବାଚନ ପରିଚାଳନା କରିବା ନିଶ୍ଚିତ ଭାବେ ଏକ ଦୁରୂହ ବ୍ୟାପାର। ମହାମାରୀ କୋଭିଡ୍‌ର ଭୟାବହତା ଭିତରେ ଏକ ସକ୍ରିୟ ଗଣତନ୍ତ୍ରର ସ୍ପଷ୍ଟ ବୈଶିଷ୍ଟ୍ୟ ଭାବେ ବିବେଚିତ ନିର୍ବାଚନକୁ ସାମୟିକ ଭାବେ ଟାଳିଦେବା ମଧ୍ୟ ଉତ୍ତରଦାୟୀ ସରକାରଙ୍କ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେବ। ଏଭଳି ସ୍ଥିତିରେ କେତେକ ରାଜ୍ୟରେ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖି ପୁଣି ଯଥାରୀତି ସଂପନ୍ନ କରାଯାଇସାରିଛି। ମହାମାରୀ ଭିତରେ ଏବେ ପ୍ରଥମ ଥର ପାଇଁ ୯ କୋଟିରୁ ଅଧିକ ମତଦାତା ସାମିଲ ଥିବା ବିହାରରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କୋଭିଡ୍‌ ଭିତରେ ଦକ୍ଷିଣକୋରିଆ ଓ ସିଙ୍ଗାପୁର ଭଳି ଦେଶରୁ ସଫଳତାର ସହ ନିର୍ବାଚନ ପରିଚାଳନାରେ ଲାଗୁ ହୋଇଥିବା କଟକଣା ବିଧିକୁ ଅନୁସରଣ କରି ଭାରତର ନିର୍ବାଚନ ଆୟୋଗ ବିହାର ନିର୍ବାଚନ ବେଳେ କୋଭିଡ୍‌ ଜନିତ କଡ଼ା କଟକଣା ଅନୁପାଳନ ପାଇଁ ନିର୍ଦ୍ଦେଶ କରିଛନ୍ତି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ହେଲା ଯାଏ ସେସବୁ କଟକଣା ଉପରେ ନଜର ରଖାଯିବ। ଅବଶ୍ୟ ନିର୍ବାଚନ ପ୍ରଚାର ପାଇଁ ଭର୍ଚୁଆଲ ରୢାଲି ଏବଂ ନେତା ଓ ଭୋଟରଙ୍କ ଭିତରେ ଭାବର ଆଦାନପ୍ରଦାନ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଛି।

ମତଦାତାଙ୍କ ଭିଡ଼ କମାଇବା ପାଇଁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ମତଦାନ କେନ୍ଦ୍ର ସହ ମତଗ୍ରହଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତି ଭୋଟରଙ୍କ ଥର୍ମାଲ ସ୍କାନିଂ ସହ ଗ୍ଳୋଭ୍‌ସର ବ୍ୟବସ୍ଥା ହେବା ସହ ଯଥେଷ୍ଟ ପରିମାଣର ସାନିଟାଇଜର, ସାବୁନ ଓ ପାଣିର ବନ୍ଦୋବସ୍ତ କରାଯାଉଛି। ଏପରିକି କୋଭିଡ୍‌ ପୀଡ଼ିତଙ୍କ ମତଦାନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ସେହିପରି ଭିନ୍ନକ୍ଷମ ଓ ବୟସ୍କ ମତଦାତାଙ୍କ ପାଇଁ ଡାକ ମାଧ୍ୟମରେ ଭୋଟ ବ୍ୟବସ୍ଥା ମଧ୍ୟ ହୋଇଛି। ତେବେ ଏ ସବୁ ସତର୍କତାମୂଳକ ପଦକ୍ଷେପ ସତ୍ତ୍ବେ ବିପୁଳ ସଂଖ୍ୟକ ଭୋଟର ଥିବା ବିହାରରେ ପରିବହନ ପରି ପ୍ରାକ୍‌ଆବଶ୍ୟକତା ଏବଂ ଗାଣତନ୍ତ୍ରିକ ନିରପେକ୍ଷ ପ୍ରକ୍ରିୟା ହିଁ ଆହ୍ବାନ ପାଲଟିଛି। କାରଣ ବିହାରରେ ମାତ୍ର ୩୭ ପ୍ରତିଶତ ଲୋକ ଇଣ୍ଟରନେଟ୍‌ ସୁବିଧା ପାଉଥିବା ବେଳେ ୨୭ ପ୍ରତିଶତଙ୍କର ସ୍ମାର୍ଟଫୋନ୍‌ ରହିଛି। ସୁତରାଂ ସୀମିତ ଲୋକଙ୍କ ପାଖରେ ହିଁ ସାମାଜିକ ଗଣମାଧ୍ୟମ ଦ୍ବାରା ପ୍ରଚାର ବା ରାଜନୈତିକ ବାର୍ତ୍ତା ପହଞ୍ଚିପାରିବ। ତେବେ ଏପରି ସମସ୍ୟାର ସମାଧାନ ସ୍ବରୂପ ବିକଳ୍ପ ଭାବେ ହଲୋଗ୍ରାମ୍‌ ବ୍ୟବହାର ପରି ଉନ୍ନତ ଜ୍ଞାନକୌଶଳର ବିନିଯୋଗ କରାଯାଇପାରିବ। ମାତ୍ର ଏହା ହେଲେ ସମ୍ବଳରେ ଅପେକ୍ଷାକୃତ ସୁଦୃଢ଼ ଥିବା ଜାତୀୟ ଦଳଗୁଡ଼ିକ ସୁବିଧାରେ ରହିବା ସହ ଆଞ୍ଚଳିକ ତଥା କ୍ଷୁଦ୍ର ଦଳଗୁଡ଼ିକ ପଛରେ ପଡ଼ିଯିବେ।

ସର୍ବୋପରି ସାମାଜିକ ଗଣମାଧ୍ୟମରେ ଏଭଳି ରାଜନୈତିକ ପ୍ରଚାର ମୁଖ୍ୟତଃ ପ୍ରଭାବଶାଳୀ ଦଳଙ୍କ ସପକ୍ଷରେ ଯିବ ବୋଲି କୁହାଯାଉଛି। ଅପରପକ୍ଷେ, ମହାମାରୀ ଭୟାବହତା ଭିତରେ ଲୋକଙ୍କ ପାଖରେ ପହଞ୍ଚିବାରେ ମଧ୍ୟ ବିଭିନ୍ନ ଦଳ ଭିତରେ ଫରକ ରହିବ। ସାଧାରଣ ମତଦାତା ଏକତରଫା ଭାବେ ନିର୍ଦ୍ଦିଷ୍ଟ ଦଳର ପ୍ରତିଶ୍ରୁତି ଓ ବାର୍ତ୍ତାକୁ ଶୁଣିବା ସହ ସେମାନଙ୍କ ଦ୍ବାରା ପ୍ରଭାବିତ ମଧ୍ୟ ହେବେ। ସେହିପରି ନିର୍ବାଚନ ଆୟୋଗ ମଧ୍ୟ ପ୍ରତି ଦଳ ବା ପ୍ରାର୍ଥୀଙ୍କର ଆଭାସୀ ନିର୍ବାଚନ ପ୍ରଚାର କି ସେମାନେ ଦେଉଥିବା ପ୍ରତିଶ୍ରୁତି ଉପରେ ନିଘା ରଖିପାରିବେ ନାହିଁ। ସୁତରାଂ ଏହାଦ୍ବାରା ଅନେକ ସ୍ଥଳରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବାର ମଧ୍ୟ ଅନେକ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର