ମନ୍ଦିର ଗଢ଼ିଦେଲେ କରୋନା ପଳାଇବନି: ଶରଦ ପାଵାର

ମୁମ୍ବାଇ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଭୂମିପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ସମ୍ପ୍ରତି ମହାମାରୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଏଭଳି ପ୍ରୟାସକୁ ବିରୋଧୀ ଦଳ ନେତା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାଵାର କଠୋର ସମାଲୋଚନା କରିଛନ୍ତି। ଲକ୍‌ଡାଉନ୍ ପରିସ୍ଥିତି ଜାରି ଯୋଗୁଁ ଦେଶର ଭୁଶୁଡ଼ିପଡ଼ିଥିବା ଅର୍ଥନୀତିର ପୁନରୁଦ୍ଧାର ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଅଭିନବ ଯୋଜନା କରିବା ଜରୁରୀ ହୋଇପଡ଼ିଛି। ମହାରାଷ୍ଟ୍ରରେ ମଧ୍ୟ ଏହାକୁ ପ୍ରାଧାନ୍ୟ ଦେବାର ଗୁରୁତ୍ବ ରହିଛି।

ମାତ୍ର କିଛି ଲୋକ ମନ୍ଦିର ଗଢ଼ି ସାରିଲା ପରେ କରୋନା ଆପେ ଆପେ ଚାଲିଯିବ ବୋଲି ଭାବିବା ହାସ୍ୟାସ୍ପଦ ବୋଲି ଶ୍ରୀ ପାଵାର କହିଛନ୍ତି। ବିଗତ ୪ ମାସ ହେଲା କରୋନାଭୂତାଣୁର ପ୍ରକୋପକୁ ସମସ୍ତେ ଜାଣିସାରିଲେଣି। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ସଂକ୍ରମଣର ମୁକାବିଲା ପାଇଁ ସମସ୍ତେ ଆଗଭର ହେବା ଉଚିତ। ଅପରପକ୍ଷେ, ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଛିନ୍‌ଛତ୍ର ହୋଇପଡ଼ିବା ସହ ଅଧିକାଂଶ ଦେଶବାସୀ ଜୀବିକା ହରାଇ ଅନଟନରେ ସନ୍ତୁଳି ହେଉଛନ୍ତି। ଏଭଳି ସ୍ଥିତିରେ ଦେଶର କିଭଳି ପୂର୍ବ ସ୍ବାଭାବିକତା ଫେରିଆସିବ ସେ ଦିଗରେ ଚିନ୍ତା ନକରି କିଛି ଲୋକ ମନ୍ଦିର ଗଢ଼ିବା ଖବରରେ ଉଲ୍ଲସିତ ହୋଇପଡ଼ିଛନ୍ତି। ତେବେ ତାହା କେବେ କରୋନା ଦାଉରୁ ମୁକୁଳାଇପାରିବନି କି ଲୋକଙ୍କ ପେଟକୁ ଆହାର ଯୋଗାଇଦେବନି ବୋଲି ଶ୍ରୀ ପଵାର ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର