ହୋଲି ଉତ୍ସବରୁ ଦୂରେଇ ରହିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ନେଇ ସତର୍କତା ଅବଲମ୍ବନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ କୌଣସି ହୋଲି ସମାବେଶରେ ସାମିଲ ହେବେ ନାହିଁ। ଭାରତରେ ଏବେ ଭାଇରସ୍‌ ବ୍ୟାପିଥିବା‌ ବେଳେ ମୋଦୀ ଆଜି ସକାଳେ ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ସେ ଚଳିତ ବର୍ଷ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ୍‌ ବ୍ୟାପୁଥିବାରୁ ବିଶେଷଜ୍ଞମାନେ ସମାବେଶ କରିବାକୁ ମନା କରିଛନ୍ତି। ବିଶ୍ବବ୍ୟାପୀ ବିଶେଷଜ୍ଞମାନେ ଏଭଳି ପରାମର୍ଶ ଦେଇଥିବାରୁ ମୋଦୀ ଚଳିତ ବର୍ଷ ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ବୋଲି କହିଛନ୍ତି। କିନ୍ତୁ କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ନହେବା ପାଇଁ ସେ କହିଛନ୍ତି। ଭାଇରସ୍‌ ମୁକାବିଲା ପାଇଁ ସମସ୍ତଙ୍କୁ ଏକଜୁଟ୍‌ ହୋଇ ଏଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମଧ୍ୟ କହିଛନ୍ତି ଯେ, ସେ ଚଳିତ ବର୍ଷ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ। କରୋନା ଭାଇରସ୍‌ର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ହୋଲି କାର୍ଯ୍ୟକ୍ରମ‌ରେ ଯୋଗ ଦେବେନାହିଁ ବୋଲି କହିଛନ୍ତି।

ଭାଇରସ ଆକ୍ରାନ୍ତ ଇଟାଲି ପର୍ଯ୍ୟଟକଙ୍କୁ ନେଇ ସମସ୍ୟା

ରାଜସ୍ଥାନରେ ୨୧୫ ଜଣ ସଂସ୍ପର୍ଶରେ ଆସିଛନ୍ତି

ଜୟପୁର : ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆଜି କୁହାଯାଇଛି ଯେ, ରାଜସ୍ଥାନରୁ ୨୧୫ ଜଣ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଇଟାଲୀୟ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିଛନ୍ତି। ରାଜସ୍ଥାନ ସ୍ବା‌ସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ଏହା କହିଛନ୍ତି। ଏମାନଙ୍କ ମଧ୍ୟରୁ ୫୧ ସନ୍ଦିଗ୍ଧଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଥିବାବେଳେ ଆଉ ୪୧ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଝୁନ୍‌ଝୁନୁର ୫୩ ଜଣ, ଯୋଧପୁର ଏବଂ ଜୟସଲମେରର ୧୪, ବିକାନେରର ୪୪, ଉଦୟପୁରର ୬ ଏବଂ ଜୟପୁରର ୭୬ ଜଣ ଭାଇରସ୍‌ ଆକ୍ରାନ୍ତ ଇଟାଲୀୟ ନାଗରିକଙ୍କ ସଂସ୍ପର୍ଶରେ ଆସିଥିଲେ।

ସମ୍ବନ୍ଧିତ ଖବର