ନୂଆଦିଲ୍ଲୀ: ଭାରତରେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ କରୋନା କାୟାବିସ୍ତାର କରୁଛି। ବିଶ୍ବବ୍ୟାପୀ ୧ ଲକ୍ଷ ୬୨ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ଛୁଇଁଲାଣି। ଭାରତରେ ଆଜି ସୁଦ୍ଧା ୧୦୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ୧୬ଟି ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ସତ୍ତ୍ବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗକୁ କଟକଣା ମଧ୍ୟ ବଢ଼ିବା ସମ୍ଭାବନା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ୧୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାର କରୋନାକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ମାସ୍କ ଏବଂ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯିବା ସହ ଏହାର ଉତ୍ପାଦନ ବୃଦ୍ଧି କରାଯିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ କହିଛନ୍ତି ଯେ ଦେଶର ସମସ୍ତ ସରକାରୀ ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ବିଶ୍ବବ୍ୟାପୀ ୬ ହଜାର ୯୫ ଲୋକଙ୍କ ଜୀବନ ନେଇଥିବାରୁ ଭାରତ ଯୁଦ୍ଧସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରିଛି। ଭାରତରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂପର୍କରେ ଆସିଥିବା ୪ ହଜାରରୁ ଅଧିକ ଲୋକଙ୍କୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଦୁଇଦିନ ତଳେ ଜଣେ ୬୮ ବର୍ଷୀୟା ମହିଳା କରୋନାରେ ପ୍ରାଣ ହରାଇଥିଲେ ଏବଂ ସେଠାରେ ମୋଟ ୭ଟି ମାମଲା ରହିଛି। ହରିୟାଣାରେ ୧୪ ଜଣ କରୋନା ସଂକ୍ରମିତ ଥିବା ବେଳେ ସମସ୍ତେ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। କେରଳରେ ୨୨ ଜଣ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ବେଳେ ଆଜି ମହାରାଷ୍ଟ୍ର କେରଳକୁ ଟପି ଯାଇ ସଂକ୍ରମିତ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୩୧ରେ ପହଞ୍ଚିଥିବାରୁ କଟକଣା ବଢ଼ାଇ ଦିଆଯାଇଛି। କର୍ଣ୍ଣାଟକରେ ୬ ଜଣ କରୋନା ସଂକ୍ରମିତ ଥିବା ବେଳେ ରାଜସ୍ଥାନରେ ୪ ଜଣ ଏବଂ ତେଲେଙ୍ଗାନାରେ ୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରମାନେ ମଧ୍ୟ କଟକଣା କଡ଼ାକଡ଼ି କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ର ସମେତ ୧୬ଟି ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି। କର୍ଣ୍ଣାଟକ, ପଂଜାବ ଏବଂ ମହାରାଷ୍ଟ୍ରରେ ମଲ୍, ଜିମ୍ ଏବଂ ସିନେମା ହଲ୍ ମଧ୍ୟ ବନ୍ଦ ଘୋଷଣା କରାଯାଇଛି।