କ‌ରୋନା ଆତଙ୍କ: ଚୀନ୍‌ ସ୍ଥିତି ସାଂଘାତିକ, ମୃତ୍ୟୁସଂଖ୍ୟା ୧୭୦କୁ ବୃଦ୍ଧି

୭,୭୦୦ ଭାଇରସ୍ ଆକ୍ରାନ୍ତ, ୧୭ ସହରରେ ଅଣାୟତ୍ତ ସ୍ଥିତି

ବେଜିଂ: କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି ଏବଂ ଦେଶର ସମସ୍ତ ଅଂଚଳକୁ ଏହା ବ୍ୟାପିଛି। କରୋନା ପ୍ରଭାବରୁ ତିବ୍ବତ ମଧ୍ୟ ବାଦ୍‌ ପଡ଼ିନାହିଁ। ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭,୭୦୦ରେ ପହଞ୍ଚିଛି ଏବଂ ଦୁଇ ଦିନ ମଧ୍ୟରେ ଏହା ୯ ହଜାର ଟପିଯିବ ବୋଲି ଆଶଙ୍କା କରାଯାଉଛି। ଚୀନ୍‌ର ହୁୱେଇ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏହି ପ୍ରଦେଶର ସମସ୍ତ ସହର ଅଚଳ ହୋଇଯାଇଛି। ଚୀନ୍‌ର ୧୭ ସହରରେ ଅଣାୟତ୍ତ ସ୍ଥିତି ଉପୁଜିଛି। କେବଳ ହୁୱେଇ ପ୍ରଦେଶରେ କ‌ରୋନ ଭାଇରସ୍‌ ଯୋଗୁଁ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪,୫୮୬ ଜଣ ଭାଇରସ୍‌ ଆକ୍ରାନ୍ତଙ୍କୁ ଚିକିତ୍ସା ଚାଲିଛି । ହଂକଂରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାକାଓ ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରରେ ୭ ଜଣ ଏବଂ ତାଇୱାନ୍‌ରେ ୮ ଜଣଙ୍କର ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ଚୀନ୍‌ ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍‌ ଆକ୍ରାନ୍ତ ଥିବା ଜଣାପଡ଼ିଛି। ବିଶ୍ବବ୍ୟାପୀ କରୋନା ଭାଇରସ୍‌ ନେଇ ଭୟ ବଢ଼ିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ସନ୍ଧ୍ୟାରେ ପୁଣିଥରେ ଏକ ଜରୁରୀ ବୈଠକ ଡକାଯାଇଛି। କରୋନାକୁ ବୈଶ୍ବିକ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯିବା ସଂକ୍ରାନ୍ତରେ ଏହି ବୈଠକରେ ନିଷ୍ପତ୍ତି ହେବ। ଗୋଟିଏ ସପ୍ତାହରେ କରୋନା ଭାଇରସ୍‌ ପାଇଁ ଡବ୍ଲ୍ୟୁଏଚ୍ଓର ଏହା ତୃତୀୟ ବୈଠକ। ଆମେରିକା ତା’ର ନାଗରିକମାନଙ୍କୁ ଚୀନ୍‌ରୁ ଖାଲି କରାଉଥିବା ବେଳେ ଜାପାନ୍‌, ରୁଷ୍‌, ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। ରୁଷ୍‌ ଆଜି ଚୀନ୍‌ ସହ ତା’ର ୪୩୦୦ କିମି ସୀମାକୁ ବନ୍ଦ କରିଛି।

କରୋନା ଭାଇରସ୍‌ର ଲକ୍ଷଣ
ଚୀନ୍‌ରେ ୧୭୦ ଜଣଙ୍କ ଜୀବନ ନେଇଥିବା କରୋନା ଭାଇରସ୍‌ ଏବେ ଦ୍ରୁତ ଗତିରେ ଅନ୍ୟ ଦେଶକୁ ବ୍ୟାପୁଛି। ଏହି ଭାଇରସ୍‌ ଚୀନ୍‌ର ଉହାନ୍‌ର ଖାଦ୍ୟ ବଜାରରୁ ଆସିଥିବା ବିଶ୍ବାସ କରାଯାଉଛି। ବାଦୁଡ଼ିଠାରୁ ଏହି ଭାଇରସ୍‌ ମଣିଷଙ୍କ ନିକଟକୁ ଆସିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ତେବେ ବାଦୁଡ଼ିଠାରୁ ଅନ୍ୟ କୌଣସି ପ୍ରଜାତିର ଜୀବଙ୍କ ନିକଟକୁ ଭାଇରସ୍ ଆସିବାପରେ ଏହା ମଣିଷ ଶରୀରକୁ ଆସିଥିବା‌ କୁହାଯାଇଛି। ବୈଜ୍ଞାନିକଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ଏହି ନୂଆ ଭାଇରସ୍‌ ୨୦୧୯ -ନଭେଲ କରୋନା ଭାଇରସ୍‌ ଯୋଗୁଁ ସାଧାରଣତଃ ଥଣ୍ଡା, ଜ୍ବର, କାଶ ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଭାଇରସ୍‌ ଯୋଗୁଁ ଅତ୍ୟନ୍ତ ଗୁରୁତର ରୋଗୀଙ୍କର ନିମୋନିଆରେ ମୃତ୍ୟୁ ହେଉଛି। କିଛି କ୍ଷେତ୍ରରେ ମଧ୍ୟ ଭାଇରସ୍‌ ଆକ୍ରାନ୍ତଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରୁନି । ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଖୁବ୍‌ କମ୍‌ ସେମାନଙ୍କୁ ଏହି ଭାଇରସ୍‌ ପ୍ରଥମେ ଆକ୍ରାନ୍ତ କରୁଛି। ଭାଇରସ୍ ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଭାଇରସ୍‌ ବ୍ୟାପିବା ଆଶଙ୍କା ଅଧିକ ରହିଛି। କରୋନା ଭାଇରସ୍‌ ଯୋଗୁଁ ଉହାନ୍‌ରେ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଭାଇରସ ପାଇଁ ଏ ପର୍ଯ୍ୟନ୍ତ କୌଣସି ଇଂଜେକ୍ସନ କିମ୍ବା ଆଣ୍ଟିଭାଇରାଲ୍‌ ନାହିଁ।

ସମ୍ବନ୍ଧିତ ଖବର