କ‌ରୋନା ଭାଇରସ୍‌ : ୩୦ ରାଷ୍ଟ୍ର ପାଇଁ ବଡ଼ ବିପଦ

ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୩୨, ୬୦୫୫ ଭାଇରସ୍‌ ଆକ୍ରାନ୍ତ; କେରଳରେ ୬୩୩ ଜଣ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୩୨ ଜଣଙ୍କ ଜୀବନ ନେଲାଣି। ଆହୁରି ୬,୦୫୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଏବେ ପ୍ରାୟ ୧୫ଟି ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ୩୦ ରାଷ୍ଟ୍ରରେ ଭାଇରସ୍‌ କ୍ଷୀପ୍ର ଗତିରେ ବ୍ୟାପିବା ଆଶଙ୍କା ସବୁଠୁ ଅଧିକ ରହିଛି। ବ୍ରିଟେନ୍‌ର ସାଉଥ୍‌ଆମ୍ପଟନ୍‌ ବିଶ୍ବବିଦ୍ୟାଳୟରେ ବିଶେଷଜ୍ଞଦଳ ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ବିଶେଷଜ୍ଞଙ୍କ ଦ୍ବାରା ବିପଜ୍ଜନକ ସ୍ଥିତିରେ ଥିବା ରାଷ୍ଟ୍ର ଏବଂ ସହରମାନଙ୍କର ଏକ ତାଲିକା କରାଯାଇଛି। ଏହି ତାଲିକାରେ କରୋନା ଭାଇରସ୍‌ ଯୋଗୁଁ ସବୁଠୁ ବିପଜ୍ଜନକ ସ୍ଥିତିରେ ରହିଛି ଥାଇଲାଣ୍ଡ୍‌ (୧), ଜାପାନ (୨) ଏବଂ ହଂକଂ (୩) । ଏହି ତାଲିକାରେ ଅଷ୍ଟ୍ରେଲିଆ ୧୦ମ ସ୍ଥାନରେ ଥିବା ବେଳେ ବ୍ରିଟେନ୍‌, ୧୭ ଏବଂ ଭାରତ ୨୩ତମ ସ୍ଥାନରେ ରହିଛି। ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡ୍‌ର ବ୍ୟାଂକକ୍‌ରେ ଭାଇରସ୍‌ ବ୍ୟାପିବା ଭୟ ସବୁଠୁ ଅଧିକ ରହିଛି। ଏହାପରେ ହଂକଂରେ ଭାଇରସ୍‌କୁ ନେଇ ଅଧିକ ବିପଦ ରହିଛି। ସେହିପରି ଥାଇଲାଣ୍ଡ୍‌ର ତାଇପେଇରେ ମଧ୍ୟ ଭାଇରସ୍‌ ଭୟ ଅଧିକ। ସିଡ୍‌ନି, ନ୍ୟୁୟର୍କ ଏବଂ ଲଣ୍ଡନ ସମେତ ୨୦ ପ୍ରମୁଖ ଅନ୍ତର୍ଜାତୀୟ ସହରଗୁଡ଼ିକରେ ମଧ୍ୟ ଭାଇରସ୍‌ ବ୍ୟାପିବା ଭୟ ରହିଛି। ଚୀନ୍‌ର ୧୮ଟି ପ୍ରମୁଖ ସହରରେ ଭାଇରସ୍‌ ନେଇ ସବୁଠୁ ଅଧିକ ବିପଦ ରହିଛି। ଚୀନ୍‌ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସ୍‌ର ମୁକାବିଲା କରୁଛି ଏବଂ ବିଭିନ୍ନ ରାଷ୍ଟ୍ର ଏବେ ସେମାନଙ୍କ ନାଗରିକଙ୍କୁ ଚୀନ୍‌ରୁ ଖାଲି କରାଉଛନ୍ତି।

କେରଳରେ ୬୩୩ ଜଣ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ
ନୂଆଦିଲ୍ଲୀ : ନିକଟରେ ଚୀନ୍‌ରୁ କେରଳକୁ ଫେରିଥିବା ସମୁଦାୟ ୬୩୩ ଜଣ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି। ଉକ୍ତ ୬୩୩ ଜଣଙ୍କ ମଧ୍ୟରୁ ୭ ଜଣ ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ହରିୟାଣା, ମୁମ୍ବାଇ, ବେଙ୍ଗାଲୁରୁ, ଗୋଆ, ଗୁରୁଗ୍ରାମ, ଫରିଦାବାଦ୍‌ , ନୁହ ଏବଂ ପାନିପତରେ ୧୪ ଜଣଙ୍କୁ ବିଭିନ୍ନ ହସ୍ପିଟାଲ୍‌ର ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ଅନେକଙ୍କ ରକ୍ତ ନମୁନାକୁ ପୁନେ, ଏନ୍ଆଇଭିକୁ ପରୀକ୍ଷା ପାଇଁ ପଠାଯାଇଛି। ଉକ୍ତ ୧୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ ବାସଭବନରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଛି। ବେଙ୍ଗାଲୁରୁରେ ୨ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯିବାପରେ ସେମାନଙ୍କୁ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ‌ଚେଷ୍ଟ୍‌ ଡିଜିଜ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର