ନୂଆଦିଲ୍ଲୀ: ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ରୋଗ ସୃଷ୍ଟିକାରୀ ସାର୍ସ-କୋଭ୍-୨ ଭୂତାଣୁ ହେଉଛି ବାୟୁବାହିତ। ଯଦି ଗୋଟିଏ ପ୍ରକୋଷ୍ଠରେ ଦୁଇ ବା ଅଧିକ କୋଭିଡ୍-୧୯ ରୋଗୀ ଥାନ୍ତି ତେବେ ବାୟୁରେ ଥିବା ଭୂତାଣୁଙ୍କ ପଜିଟିଭିଟି ହାର ୭୫ ପ୍ରତିଶତ ହୋଇଥାଏ। ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍ବି), ହାଇଦ୍ରାବାଦ ଏବଂ ସିଏସ୍ଆଇଆର୍-ଆଇଏମ୍ଟେକ୍, ଚଣ୍ଡୀଗଡ଼ ପକ୍ଷରୁ କରାଯାଇଥିବା ଅନୁଧ୍ୟାନର ରିପୋର୍ଟ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଏହି ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଆଇସିୟୁ ଭିତରେ ଥିବା ରୋଗୀ ଏବଂ ଅଣ-ଆଇସିୟୁ ରୁମ୍ରେ ଥିବା ରୋଗୀ ବାୟୁମଣ୍ଡଳକୁ ସମାନ ପରିମାଣର ଭୂତାଣୁ ଛାଡ଼ିଥାନ୍ତି। ଅର୍ଥାତ୍ ରୋଗ କେତେ ଗୁରୁତର ତା’ ଉପରେ ଭୂତାଣୁଙ୍କ ବିମୋଚିତ ସଂଖ୍ୟା ନିର୍ଭର କରି ନ ଥାଏ।
ଅନୁଧ୍ୟାନରୁ ପୁଣି ଜଣାପଡ଼ିଛି ଯେ ବାୟୁମଣ୍ଡଳରେ ଥିବା ସକ୍ରିୟ କରୋନା ଭୂତାଣୁ ଜୀବନ୍ତ କୋଷକୁ ସଂକ୍ରମିତ କରିପାରନ୍ତି। ଏହି ଭୂତାଣୁ ପୁଣି ବାୟୁମଣ୍ଡଳରେ ଅନେକ ଦୂର ଗତିକରି ପାରନ୍ତି। ଗୋଟିଏ ରୁମ୍ରେ ଦୁଇ ବା ଅଧିକ ରୋଗୀ ଥିଲେ ପଜିଟିଭିଟି ହାର ୭୫ ପ୍ରତିଶତ ହୋଇଥାଏ। ମାତ୍ର ରୁମ୍ରେ ରୋଗୀ ନ ଥିଲେ ବା ମାତ୍ର ଜଣେ କୋଭିଡ୍-୧୯ ରୋଗୀ ଥିଲେ ପଜିଟିଭିଟି ହାର ୧୫.୮ ପ୍ରତିଶତ ହୋଇଥାଏ ବୋଲି ଅନୁଧ୍ୟାନରେ ଜଡ଼ିତ ବୈଜ୍ଞାନିକ ଡ. ଶିବରଞ୍ଜନୀ ମୋହାରିର କହିଛନ୍ତି। ମୁଖ୍ୟ ବୈଜ୍ଞାନିକ ଡ. ରାକେଶ ମିଶ୍ର ଏୟାର୍ ସର୍ଭେଲାନ୍ସର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଛନ୍ତି।