କରୋନାର ମୁକାବିଲା ପାଇଁ ସରକାରଙ୍କୁ ଟୁଇଟ୍ କରି ଏଭଳି ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଭାରତରେ ନୋଭେଲ କରୋନାଭାଇରସ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ ଅଧିକ ହୋଇ ସାରିଛି। ଏ ପର୍ଯ୍ୟନ୍ତ ଏ ନେଇ କ‌ୌଣସି ଟୀକା ବାହାର କରାଯାଇ ନଥିବ‌ା ବେଳେ ପରିସ୍ଥିତିର ମୁକାବିଲା ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବୁଧବାର ଦିନ ସରକାରଙ୍କୁ ଏକ ଅନୁରୋଧ କରିଛନ୍ତି। ଟୁଇଟ୍ କରି ବେସରକାରୀ କ୍ଷେତ୍ରକୁ ଦେଶରେ କରୋନାଭାଇରସ୍ ପରୀକ୍ଷା ଆରମ୍ଭ କରିବାକୁ ଅନୁମତି ଦିଅନ୍ତୁ ବୋଲି ଭାରତ ସରକାରଙ୍କୁ ଅପିଲ କରିଛନ୍ତି ମହିନ୍ଦ୍ରା । ତାଙ୍କ କହିବା ମୁତାବକ, ଏହି ଭୂତାଣୁକୁ ରୋକିବା ପାଇଁ ଭାରତ ଭଲ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ପ୍ରଭାବିତ ଦେଶମାନଙ୍କ ମଧ୍ୟରୁ ଭାରତ କମ୍ ସଂଖ୍ୟକ କରୋନା ପରୀକ୍ଷା କେନ୍ଦ୍ର ଖୋଲିଛି।

ସେ କରିଥିବା ଟୁଇଟରେ ଲେଖାଯାଇଛି କି, କରୋନା ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ ଭାରତ ଉତ୍ତମ କାର୍ଯ୍ୟ କରିଛି। ଭାରତ ନେଇଥିବା ପ୍ରାଥମିକ ପଦକ୍ଷେପକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି। କିନ୍ତୁ ଆମର ପରୀକ୍ଷା ହାର ଆମର ଦୁର୍ବଳତା ହୋଇପାରେ। ଆମକୁ ଘରୋଇ କ୍ଷେତ୍ରକୁ ପରୀକ୍ଷା କରିବାକୁ ଅନୁମତି ଦେବାକୁ ପଡ଼ିବ ବୋଲି ଲେଖି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଟ୍ୟାଗ କରିଛନ୍ତି ଆନନ୍ଦ ମହିନ୍ଦ୍ରା।

ସୂଚନା ମୁତାବକ, ବର୍ତ୍ତମାନ ସମଗ୍ର ଭାରତରେ କରୋନାଭାଇରସକୁ ଚିହ୍ନଟ କରିବ‌େ ପାଇଁ  ୫୨ଟି ପରୀକ୍ଷା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଉଛି। ଏହି ସଂଖ୍ୟାରେ ବୃଦ୍ଧି ହେଲେ ରୋଗୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସଂକ୍ରମଣ ସଂଖ୍ୟାକୁ କମ କରାଯାଇପାରିବ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା।

ସମ୍ବନ୍ଧିତ ଖବର