ନୂଆଦିଲ୍ଲୀ: କୋଭିଡ୍-୧୯ ବା କରୋନାଭାଇରସ୍ ପ୍ରତିଷେଧକ ଟିକା ନେଉଥିବା ହିତାଧିକାରୀମାନେ ନିଜ ନିଜର ସୁବିଧା ଅନୁଯାୟୀ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ଓ ଦ୍ୱିତୀୟ ଟିକା ନେଇପାରିବେ ବୋଲି ଆଜି (ମଙ୍ଗଳବାର) ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି। ଟିକାର ପ୍ରଥମ ଡୋଜ୍ ନେଇଥିବା ସ୍ଥାନରେ ହିଁ ଦ୍ୱିତୀୟ ଡୋଜ୍ ନେବା ବାଧ୍ୟତାମୂଳକ ନୁହେଁ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଟିକା ଗ୍ରହଣ କରୁଥିବା ହିତାଧିକାରୀମାନେ ବିଭିନ୍ନ ସ୍ଥାନରେ କରୋନାଭାଇରସ୍ ଟିକା ଗ୍ରହଣ କରିବା ସହିତ ସେମାନଙ୍କର ‘ଇନୋକ୍ୟୁଲେସନ୍’ କାର୍ଯ୍ୟସୂଚୀ ତାରିଖକୁ ମଧ୍ୟ ବଦଳାଇ ପାରିବେ। ଏ ସଂପର୍କରେ ମନ୍ତ୍ରାଳୟ ପକ୍ଷରୁ କୁଯାଯାଇଛି ଯେ କୋଭିଡ-୧୯ ଟୀକାକରଣ ପାଇଁ ଯେତେବେଳେ ଜଣେ ହିତାଧିକାରୀ ଏକ ସଂରକ୍ଷଣ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ସେତେବେଳେ ତାଙ୍କର ପ୍ରଥମ ଡୋଜ୍ ସହ ଦ୍ୱିତୀୟ ଡୋଜ୍ ମଧ୍ୟ ସେହି ସ୍ଥାନରେ ସ୍ୱୟଂକ୍ରିୟ ଭାବରେ ନିର୍ଦ୍ଧାରିତ ହୋଇ ଯାଇଥାଏ।
ତେବେ, ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀ ଯଦି କୌଣସି କାରଣରୁ ଦ୍ୱିତୀୟ ଡୋଜ୍ ନେବା ପାଇଁ ସେହି ସ୍ଥାନକୁ ଯିବାରେ ଅସୁବିଧା ଥାଏ, ତେବେ ସେ କ୍ଷେତ୍ରରେ ସେ ତାହାକୁ ପରିବର୍ତ୍ତନ କରିପାରିବେ। ଏ କ୍ଷେତ୍ରରେ ହିତାଧିକାରୀଙ୍କୁ ଏହି ସିଷ୍ଟମ କେବଳ ସେହି ସ୍ଥାନଗୁଡିକୁ ଦର୍ଶାଇବ ଯେଉଁଠି ତାଙ୍କୁ ପ୍ରଥମ ଡୋଜ ପରି ଦିଆଯାଇଥିବା ସମାନ ଟିକା ମିଳିପାରିବ। ଏଥିସହ ଟୀକାକରଣ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଲୋକ ପଞ୍ଜୀକୃତ ହୋଇ ସାରିଥିବା କହିଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।